କେନ୍ଦୁଝର: ଯେଉଁଠି ଚାଖଣ୍ଡେ ଜମି ପାଇଁ ଭାଇ-ଭାଇ ମଧ୍ୟରେ ହେଉଛି ରକ୍ତପାତ ସେଠି ପ୍ରାୟ କୋଟିଏ ଟଙ୍କାର ଜମି ବିଦ୍ୟାଳୟକୁ ଦାନ କରିଛନ୍ତି ପରିଣତ ବୟସରେ ପହଁଚିଥିଲା ଜଣେ ଚାଷୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗାଁ ରାଇକଳାର ପିଏମ୍ ଶ୍ରୀ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉନ୍ନତି ପାଇଁ ୧ ଏକର ୪ ଡିସିମିଲ୍ ଜମି ଦାନ କରିଛନ୍ତି ୯୧ ବର୍ଷୀୟ ଚାଷୀ ପରମାନନ୍ଦ ମହାନ୍ତ । ଯାହା କୋଟି କୋଟି ଲୋକଙ୍କ ପାଇଁ ଏକ ବିରଳ ଉଦାହରଣ ସାଜିଛନ୍ତି ।
କେନ୍ଦୁଝର ଜିଲ୍ଲା ରାଇକଳା ପଞ୍ଚାୟତ କନ୍ଦରକଳା ଗାଁର ଚାଷୀ ପରମାନନ୍ଦ ମହାନ୍ତ । ବୟସ ତାଙ୍କର ୯୧ ବର୍ଷ । ଭଲ ଭାବେ ଚାଲିବାକୁ ଅକ୍ଷମ । ସ୍ତ୍ରୀ ରୁକ୍ମିଣୀ ବୟସାଧିକ୍ୟ କାରଣରୁ ରୋଗ ଗ୍ରସ୍ତ । ହେଲେ, ଏହି ବୟସରେ ପରମାନନ୍ଦ ମହାନ୍ତଙ୍କର ବଦାନ୍ୟତା ସମସ୍ତଙ୍କ ହୃଦୟକୁ ଛୁଇଁଛି । ମୁଖ୍ୟମନ୍ତ୍ରୀଙ୍କ ଗାଁର ସ୍କୁଲକୁ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜମି ସେ ଦାନ କରିଛନ୍ତି । ବିଦ୍ୟାଳୟର ନିଜସ୍ଵ ଜମି ନଥିବାରୁ ବିଦ୍ୟାଳୟର ଉନ୍ନତି ସମ୍ଭବ ହୋଇ ପାରୁ ନଥିଲା । ଏହା ଜାଣିପାରି ବିଦ୍ୟାଳୟକୁ ନିଜର ୧ଏକର ୪ଡ଼ିସିମିଲ୍ ଜମି ଦାନ କରିଛନ୍ତି ପରମାନନ୍ଦ ମହାନ୍ତ ।
ମୁଖ୍ୟମନ୍ତ୍ରୀ ଥିଲେ ଛାତ୍ର
୧୯୬୫ ମସିହାରେ ଏହି ବିଦ୍ୟାଳୟକୁ ପରମାନନ୍ଦ ମହାନ୍ତ ଓ ତାଙ୍କର କିଛି ସାଙ୍ଗ ମିଶି ଆରମ୍ଭ କରିଥିଲେ । ଏଠାରେ ନିଜେ ମୁଖ୍ୟମନ୍ତ୍ରୀ ଏବଂ ପରମାନନ୍ଦଙ୍କ ପୁଅ ମଧ୍ୟ ପାଠ ପଢ଼ିଥିଲେ । ହେଲେ ବିଦ୍ୟାଳୟର ନିଜସ୍ଵ ଜମି ନଥିବାରୁ ବର୍ତ୍ତମାନ ସମୟରେ ଏହାର ଉନ୍ନତି ସମ୍ଭବ ହୋଇ ପାରୁ ନଥିଲା । ନିଜ ପାଖରେ ଟଙ୍କା ନଥିଲେ ସୁଦ୍ଧା ନିଜର ୧ ଏକର ୪ଡ଼ିସିମିଲ୍ ଜମି ବିଦ୍ୟାଳୟକୁ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ପରମାନନ୍ଦ ।
ଏଠାରେ ଗୋଟିଏ ଡିସିମିଲ୍ ଜମିର ମୂଲ୍ୟ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ । ତେଣୁ ସମୁଦାୟ ଜମିର ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏଥିପାଇଁ ତାଙ୍କ ପରିବାର ସଦସ୍ୟ ମଧ୍ୟ ଖୁସିରେ ସମ୍ମତି ପ୍ରଦାନ କରିଥିଲେ । ସମାଜର ଉନ୍ନତି ପାଇଁ, ପରମାନନ୍ଦଙ୍କ ଭଳି ଅନ୍ୟମାନେ ଆଗକୁ ଆସି ମୁକ୍ତହସ୍ତରେ ଦାନ କରିବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି । ଏଭଳି କରି ପରମାନନ୍ଦ ସମଗ୍ର ଜିଲାରେ ଉଦାହରଣ ପାଲଟି ଥିବା ସେମାନେ କହିଛନ୍ତି ।