ଭୁବନେଶ୍ୱର: ରାଜ୍ୟରେ ନୂଆ କରି ଗଢ଼ି ଉଠିଥିବା ମହମ୍ମଦ ମୋକିମଙ୍କ ଓଡ଼ିଶା ଜନତା କଂଗ୍ରେସ ଦଳକୁ ମିଳିଛି ତାର ନୂତନ ଠିକଣା । ରବିବାର ରାଜଧାନୀ ଭୁବନେଶ୍ୱରର ସତ୍ୟନଗରରେ ବିଏମସି ସମ୍ମୁଖରେ ଓଡ଼ିଶା ଜନତା କଂଗ୍ରେସର ରାଜ୍ୟ ମୁଖ୍ୟାଳୟ ଉଦଘାଟିତ ହୋଇଯାଇଛି ।
କାର୍ଯ୍ୟାଳୟ ଉଦଘାଟନ ଅବସରରେ ମୋକିମ କହିଛନ୍ତି ଯେ ଏହି ସ୍ଥାନ ଓଡ଼ିଶା ରାଜନୀତିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ । ଓଡ଼ିଶାକୁ ଦିଗଦର୍ଶନ ଦେବାକୁ ଏବଂ ଲୋକଙ୍କ ସ୍ୱରରେ ସ୍ୱର ମିଳାଇ କାମ କରିବାକୁ ଓଜେଏସ୍ ତିଆରି ହୋଇଛି । ଆଗାମୀ ଦିନରେ ଓଡ଼ିଶା ରାଜନୀତିର କେନ୍ଦ୍ର ବିନ୍ଦୁ ଓ ଓଡ଼ିଶା ଲୋକଙ୍କ ସ୍ୱର ହେବ ଓଡ଼ିଶା ଜନତା କଂଗ୍ରେସ ।
ଦଳର ଆଗାମୀ କାର୍ଯ୍ୟପନ୍ଥା ନେଇ ମୋକିମ କହିଛନ୍ତି ଯେ ଆସନ୍ତା ୧୫ ତାରିଖ ବୁଧବାର ଦିନ ପ୍ରଦର୍ଶନୀ ପଡ଼ିଆଠାରେ ବିରାଟ ଗଣ ସମାବେଶ ଅନୁଷ୍ଠିତ ହେବ । ଏଥିରେ ଦଳକୁ ଲୋକାର୍ପିତ କରାଯିବ । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା କର୍ମୀମାନେ ସାମିଲ ହେବେ । ସଭାରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରାଯିବ ।
ଓଡ଼ିଶା ଜନତା କଂଗ୍ରେସ ଆଗାମୀ ଦିନରେ ନେତୃତ୍ୱ ସୃଷ୍ଟି କରିବ । ଯେଉଁମାନେ ସୁଯୋଗ ପାଇ ନାହାଁନ୍ତି ସେହିମାନେ ଏହି ମଞ୍ଚରେ ସୁଯୋଗ ପାଇବେ ଏବଂ ନିଜକୁ ପ୍ରତିଷ୍ଠିତ କରିବେ । ଏହା ବିକଳ୍ପ ଭାବରେ ରାଜ୍ୟବାସୀଙ୍କ ସ୍ୱର ହେବ । ବିଭିନ୍ନ ଜିଲ୍ଲାରେ ମିଶ୍ରଣ ପର୍ବ ଜାରି ରହିଛି । ସେହିପରି ଦଳ ଆଗାମୀ ପୌର ନିର୍ବାଚନ, ନୂତନ ଏନଏସି ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଭାଗ ନେବ । ତାହାହିଁ ଦଳର ପ୍ରସ୍ତୁତି ନେଇ ମାପକାଠି ହେବ ବୋଲି ମୋକିମ କହିଛନ୍ତି ।