ଭୁବନେଶ୍ୱର: ବିଜୁ ଜନତା ଦଳର ପାଟକୁରା ରାଜନୀତି ଏବେ ତୀବ୍ର ହୋଇଛି । ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିବା ମୁଖିଆଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଅରବିନ୍ଦଙ୍କୁ ସମର୍ଥନ କରି ଆଜି ଶତାଧିକ କର୍ମୀଙ୍କ ସହିତ ୨୦ ସରପଞ୍ଚ ଓ ୩ ପୂର୍ବତନ ବିଜେଡ଼ି ଅଧ୍ୟକ୍ଷ ସମୂହ ଇସ୍ତଫା ଦେଇଛନ୍ତି ।
ବିଜେଡ଼ି ମିଶ୍ରଣ ପର୍ବ ବଦଳରେ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗରଦପୁର ବ୍ଲକରେ ସାମୂହିକ ଇସ୍ତଫା ପର୍ବ ଅନୁଷ୍ଠିତ ହୋଇଛି । ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥନରେ ଶତାଧିକ କର୍ମୀ ବୈଠକ କରିଥିଲେ । ଏହା ପରେ ୨୦ ଜଣ ସରପଞ୍ଚ ଓ ସମିତି ସଭ୍ୟ, ୩ ଜଣ ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ୫୦୦ରୁ ଉର୍ଦ୍ଧ୍ୱ ସାମୂହିକ ଇସ୍ତଫା ଦେଇଥିଲେ । ବ୍ଲକ୍ ଅଧ୍ୟକ୍ଷଙ୍କ ମଧ୍ୟରେ ବାସୁଦେବ ବେହେରା, ଦିଲୀପ ସାହୁ, ଓ ସ୍ଵର୍ଣ୍ଣପ୍ରଭା ସେଠୀ ଅଛନ୍ତି । ଇସ୍ତଫା ପତ୍ରରେ ଦସ୍ତଖତ ପରେ ବିଜୁ ଜନତା ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇବେ ବୋଲି ସୂଚନା ଦିଆଯାଇଛି ।
ଅଭିଯୋଗ ଅନୁଯାୟୀ, ଜାନୁଆରୀ ୧୫ ତାରିଖରେ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରିବା ପରେ ଏହି କର୍ମୀମାନେ ବିଜେଡି ସୁପ୍ରିମୋଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଠାରେ ଥିବା ନେତାମାନେ ନବୀନଙ୍କ ସହିତ ଭେଟ କରିବାକୁ ଟିକେ ଅନୁମତି ଦେଇନଥିଲେ । ନିଲମ୍ବନ ପ୍ରତ୍ୟାହାର ପାଇଁ ବାରମ୍ବାର ଦାବି କରାଯାଇଥିଲା । କିନ୍ତୁ କୌଣସି ସୁଫଳ ହୋଇନଥିଲା । ଯାହା ପରେ ଗରଦପୁରର ଛାମୁଆଁ ନେତାମାନେ ଏକକାଳୀନ ସାମୂହିକ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଗତ ଜାନୁଆରୀ ୧୫ ତାରିଖରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଉଭୟଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା ।