ନୂଆଦିଲ୍ଲୀ: କକରୋଚ ଜନତା ପାର୍ଟି (CJP) ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କ କାର୍ଯ୍ୟସୂଚୀରେ ସ୍ଥାନ ପାଇନାହିଁ। ଏହି ମାମଲାରେ ଶୀଘ୍ର ନ୍ୟାୟ ପାଇଁ ବୁଧବାର କୋର୍ଟଙ୍କ ନିକଟରେ ଜରୁରୀ ଶୁଣାଣି ଦାବି କରିବ ସେମାନଙ୍କ ଆଇନଗତ ଟିମ୍।
ସ୍ପେଶାଲ ଏକ୍ସକ୍ୟୁଟିଭ ମାଜିଷ୍ଟ୍ରେଟ କୋର୍ଟ ସେମାନଙ୍କ ବିଚାର ବିଭାଗୀୟ ହାଜତ ଆଉ ଦୁଇ ଦିନ ବୃଦ୍ଧି କରିବା ପାଇଁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ଉଭୟ ନେତା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବୁଧବାର ଅର୍ଥାତ୍ ଅକ୍ଟୋବର ୨୧ ତାରିଖରେ ହାଇକୋର୍ଟ ଏହି ଆବେଦନର ଶୁଣାଣି କରିପାରନ୍ତି।
ଏହି ମାମଲାରେ ସିଜେପିର ଲିଗାଲ ହେଡ୍ ରତ୍ନା ସିଂହ କହିଛନ୍ତି ଯେ, ସେମାନେ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି ଏବଂ ରାତିରେ ହିଁ ତୁରନ୍ତ ଶୁଣାଣି ପାଇଁ ନିବେଦନ କରାଯାଇଛି। ସେ ଆହୁରି କହିଛନ୍ତି, "ସୌରଭ ଓ ଆଶୁତୋଷଙ୍କୁ ଗୋଟିଏ ମିନିଟ୍ ମଧ୍ୟ ଜେଲ୍ରେ ରଖାଯିବା ଉଚିତ୍ ନୁହେଁ। ରାଜନୈତିକ କାରଣରୁ ସେମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା ଛଡ଼ାଇ ନିଆଯାଉଛି, ଯାହା ଅତ୍ୟନ୍ତ ଅନ୍ୟାୟ।"
ଆଉ ଦୁଇ ଦିନ ବଢ଼ିଲା ହାଜତ ମିଆଦ
ସୂଚନାଯୋଗ୍ୟ ଯେ, ସୋମବାର ମନ୍ଦିର ମାର୍ଗ ପୋଲିସ ଷ୍ଟେସନରେ ନିୟୋଜିତ ଜଣେ ନୂଆ ସ୍ପେଶାଲ ଏକ୍ସକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଆଗରେ ଦୁହିଁଙ୍କୁ ହାଜର କରାଯାଇଥିଲା। ସେଠାରେ ଅଦାଲତ ସେମାନଙ୍କ ବିଚାରବିଭାଗୀୟ ହାଜତ ମିଆଦକୁ ଆଉ ଦୁଇ ଦିନ ବୃଦ୍ଧି କରିଥିଲେ।
ଅକ୍ଟୋବର ୧୩ ତାରିଖରେ ନିଷିଦ୍ଧାଞ୍ଚଳ ଘୋଷିତ ଜନ୍ତର-ମନ୍ତର ଗେଟ୍ ଡେଇଁ ଭିତରକୁ ପ୍ରବେଶ କରିବା ଅଭିଯୋଗରେ ସୌରଭ ଓ ଆଶୁତୋଷଙ୍କୁ ପୋଲିସ ହାଜତକୁ ନେଇଥିଲା। ଗୃହ ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜନ୍ତର-ମନ୍ତରକୁ ଏବେ ଆନ୍ଦୋଳନ କିମ୍ବା ବିକ୍ଷୋଭ ପ୍ରଦର୍ଶନର ନିର୍ଦ୍ଦିଷ୍ଟ ସ୍ଥାନ ଭାବେ ମାନ୍ୟତା ଦିଆଯାଉନାହିଁ।