ଲେହ: ଲଦ୍ଦାଖର ପ୍ରସିଦ୍ଧ ଜଳବାୟୁ କାର୍ଯ୍ୟକର୍ତ୍ତା ସୋନମ୍ ୱାଙ୍ଗଚୁକ୍ ଚୀନ୍କୁ କଡ଼ା ଚେତାବନୀ ଦେବା ସହ କେନ୍ଦ୍ର ସରକାରଙ୍କ ଅପୂରଣୀୟ ପ୍ରତିଶ୍ରୁତିକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ଚୀନ୍ ବୈଦେଶିକ ମନ୍ତ୍ରାଳୟର ବକ୍ତବ୍ୟକୁ ଦୃଢ଼ ଶବ୍ଦରେ ନିନ୍ଦା କରିବା ସହ ଲଦ୍ଦାଖ ଶାସନ ଓ ସମ୍ବିଧାନର ଷଷ୍ଠ ଅନୁସୂଚୀକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟର ନୀତି ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜାରି କରି ୱାଙ୍ଗଚୁକ୍ କହିଛନ୍ତି ଯେ, ଲଦ୍ଦାଖ କେନ୍ଦ୍ରଶାସିତ ଅଞ୍ଚଳ (UT) ନେଇ ଚୀନ୍ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ମାଓ ନିଙ୍ଗ ଯେଉଁ ବକ୍ତବ୍ୟ ଦେଇଛନ୍ତି, ତାହା ସମ୍ପୂର୍ଣ୍ଣ ଅଗ୍ରହଣୀୟ।
ଚୀନ୍ର କୌଣସି ଅଧିକାର ନାହିଁ
ଚୀନ୍ର ପ୍ରବକ୍ତାଙ୍କ ବକ୍ତବ୍ୟକୁ ନିନ୍ଦା କରି ସୋନମ୍ କହିଛନ୍ତି, ଲଦ୍ଦାଖ ବିଷୟରେ କିଛି ବି ମନ୍ତବ୍ୟ ଦେବାର କୌଣସି ଅଧିକାର ଚୀନ୍ର ନାହିଁ। ଆମର ପ୍ରକୃତ ପଡ଼ୋଶୀ ହେଉଛି ତିବ୍ଦତ, ଚୀନ୍ ନୁହେଁ। ଚୀନ୍ ପ୍ରଥମେ ସ୍ପଷ୍ଟ କରୁ ଯେ ସେ କେବେ ତିବ୍ଦତ ଖାଲି କରି ଆମର ତିବ୍ଦତୀୟ ଭାଇଭଉଣୀଙ୍କୁ ସମର୍ପଣ କରୁଛି। ଲଦ୍ଦାଖର ଲେହ ଆପେକ୍ସ ବଡିର ନେତାମାନେ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ଚୀନ୍ର ଏହି ବକ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି।
ଆମକୁ ତ ଆପଣା ଲୋକ ଲୁଟିଲେ.
ଚୀନ୍ ଭଳି ଶତ୍ରୁ ଦେଶକୁ ଜବାବ ଦେବା ପରେ ନିଜ ଦେଶର ସରକାରଙ୍କ ଆଭିମୁଖ୍ୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ୱାଙ୍ଗଚୁକ୍। ଗୃହ ମନ୍ତ୍ରାଳୟର ସାମ୍ପ୍ରତିକ ଆଲୋଚନାକୁ ନେଇ ସେ କହିଛନ୍ତି, "ବୈଦେଶିକ ଶତ୍ରୁ ସହ ଆମେ ଲଢ଼ିପାରିବୁ ଏବଂ ସଦାସର୍ବଦା ଲଢ଼ିଆସିଛୁ। କିନ୍ତୁ ନିଜ ସରକାରଙ୍କ ସହ ଆଲୋଚନା ବେଳେ ଯେଉଁ ବ୍ୟବହାର ଦେଖିବାକୁ ମିଳିଲା, ସେଥିରୁ ଗୋଟିଏ କଥା ମନକୁ ଆସୁଛି ‘ହମେଁ ତୋ ଅପନୋ ନେ ଲୁଟା, ଗୈରୋଁ ମେଁ କ୍ୟା ଦମ୍ ଥା...’।"
ଭଙ୍ଗ ହେଲା ପ୍ରତିଶ୍ରୁତି !
ୱାଙ୍ଗଚୁକ୍ ଅଭିଯୋଗ କରିଛନ୍ତି ଯେ ୨୦୧୯ରେ ଲଦ୍ଦାଖ କେନ୍ଦ୍ରଶାସିତ ଅଞ୍ଚଳ ହେବା ସମୟରେ ଗଣତନ୍ତ୍ର ପୁନରୁଦ୍ଧାର ଏବଂ ସମ୍ବିଧାନର ଷଷ୍ଠ ଅନୁସୂଚୀ ଅଧୀନରେ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଆଲୋଚନା ବେଳେ ନିଜ ପ୍ରତିଶ୍ରୁତିରୁ ସରକାର ଓହରି ଯାଉଛନ୍ତି।
ସେ କହିଛନ୍ତି, "ସରକାର କେବଳ ଏକ ଛୋଟ ବିଧାନସଭା ଦେବା କଥା କହୁଛନ୍ତି, ଯେଉଁଥିରେ ମୁଖ୍ୟ ଶାସନ ସଚିବ ବି ତାଙ୍କ ଅଧୀନରେ ରହିବେ ନାହିଁ। ଧାରା ୩୭୧ ନେଇ ଦିଆଯାଇଥିବା ଆଶ୍ୱାସନାରୁ ମଧ୍ୟ ସରକାର ଓହରି ଯାଇଛନ୍ତି। 'ପ୍ରାଣ ଯାଉ ପଛକେ ବଚନ ନଯାଉ' କହୁଥିବା ସରକାରଙ୍କ ଏଭଳି ବ୍ୟବହାରରେ ଲଦ୍ଦାଖବାସୀ ଗଭୀର ଦୁଃଖିତ ଓ ଆଶ୍ଚର୍ଯ୍ୟ।"