କିଏ ହେବେ କ୍ୟାମ୍ପସର ନୂଆ ନେତା? କାହା ମୁଣ୍ଡରେ ପଡ଼ିବ ବିଜୟ ମୁକୁଟ? ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବା ପାଇଁ ଭୋଟ୍ ଦେଉଛନ୍ତି ଛାତ୍ରଛାତ୍ରୀ। ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଜମିଛି ଛାତ୍ର ସଂସଦ ନିର୍ବାଚନର ମାହୋଲ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବ।
ଚଳିତବର୍ଷ ୧୨ଟି ବିଶ୍ୱବିଦ୍ୟାଳୟ ସମେତ ମୋଟ ୩୫୮ଟି ଉଚ୍ଚଶିକ୍ଷାନୁଷ୍ଠାନରେ ହେଉଛି ପ୍ରତ୍ୟକ୍ଷ ନିର୍ବାଚନ। ଏଥିରେ ମୋଟ ୬,୮୯୧ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ଛାତ୍ରଛାତ୍ରୀ। ସଭାପତି ପଦ ପାଇଁ ୮୬୬ ଜଣ, ଉପସଭାପତି ପାଇଁ ୭୧୬ ଜଣ ଏବଂ ସାଧାରଣ ସମ୍ପାଦକ ପଦ ପାଇଁ ୬୧୬ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି।
ନିର୍ବାଚନକୁ ନେଇ କ୍ୟାମ୍ପସଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ବୈଧ ପରିଚୟପତ୍ର ଥିବା ଛାତ୍ରଛାତ୍ରୀ ଓ ଅନୁମତିପ୍ରାପ୍ତ ବ୍ୟକ୍ତିଙ୍କୁ ହିଁ କ୍ୟାମ୍ପସ ଭିତରକୁ ଯିବାକୁ ଅନୁମତି ମିଳିବ। ଭୋଟ୍ ଗଣତି ସମୟରେ ପ୍ରାର୍ଥୀଙ୍କ ଏଜେଣ୍ଟମାନେ ଉପସ୍ଥିତ ରହିବେ।
ଅପରାହ୍ଣ ୨ଟାରେ ମତଦାନ ସରିବା ପରେ ଆରମ୍ଭ ହେବ ଭୋଟ୍ ଗଣତି। ସନ୍ଧ୍ୟା ୫ଟା ସୁଦ୍ଧା ଫଳାଫଳ ଘୋଷଣା କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି। ମତଦାନ ପରେ ଏବେ ଅପେକ୍ଷା ଫଳାଫଳକୁ। କେଉଁ ପ୍ରାର୍ଥୀଙ୍କୁ ମିଳିବ ଛାତ୍ରଛାତ୍ରୀଙ୍କ ସମର୍ଥନ, ତାହା ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ।