ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ବିରୋଧରେ ଆପତ୍ତିଜନକ ଏବଂ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ କରି ଅସୁବିଧାରେ ପଡ଼ିଛି କଂଗ୍ରେସ। ଚାରିଆଡ଼ୁ ତୀବ୍ର ସମାଲୋଚନା ଏବଂ ବିରୋଧର ସାମ୍ନା କରିବା ପରେ ଦଳ ଶେଷରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 'କଂଗ୍ରେସ କେରଳମ'ର ଅଫିସିଆଲ୍ 'X' ଆକାଉଣ୍ଟରୁ ଏହି ପୋଷ୍ଟ କରାଯାଇଥିବା ବେଳେ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ପଦବୀରୁ ହଟାଇ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ବିବାଦୀୟ ପୋଷ୍ଟକୁ ପରବର୍ତ୍ତୀ ସମୟରେ ଡିଲିଟ୍ କରାଯାଇଛି। କେରଳ ପ୍ରଦେଶ କଂଗ୍ରେସ କମିଟି (KPCC) ର ସଭାପତି ସନ୍ନି ଜୋସେଫ୍ ଏକ ବିବୃତି ଜାରି କରି କହିଛନ୍ତି ଯେ, ଏହି ବିବାଦୀୟ ସନ୍ଦେଶ ଦଳୀୟ ନେତୃତ୍ୱଙ୍କ ଅଜାଣତରେ, ବିନା ସମ୍ମତି କିମ୍ବା ପରାମର୍ଶରେ ପୋଷ୍ଟ କରାଯାଇଥିଲା। ଏଥିପାଇଁ ଦାୟୀ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ତାଙ୍କ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି।
କ’ଣ ଥିଲା ସେହି ବିବାଦୀୟ ପୋଷ୍ଟରେ?
କଂଗ୍ରେସ କେରଳମର 'X' ଆକାଉଣ୍ଟରେ CJI ସୂର୍ଯ୍ୟକାନ୍ତଙ୍କୁ ସିଧାସଳଖ ନିଶାନା କରି ଲେଖାଯାଇଥିଲା, "ପ୍ରିୟ ସୂର୍ଯ୍ୟକାନ୍ତ, ଯଦି ଆଇନ ଶୃଙ୍ଖଳା ସମ୍ଭାଳିବା ଆପଣଙ୍କ କଥା ନୁହେଁ, ତେବେ ତୁରନ୍ତ ଇସ୍ତଫା ଦିଅନ୍ତୁ। ଆମେ ଆପଣଙ୍କ ସ୍ଥାନରେ ଏପରି କାହାକୁ ଆଣିବୁ ଯିଏ ଏହାକୁ ସମ୍ଭାଳି ପାରିବ।"
ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ର କଡ଼ା ନିନ୍ଦା
ଏହି ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିବା ପରେ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (SCBA) ଏବଂ ବାର୍ କାଉନସିଲ୍ ପକ୍ଷରୁ ଏହାକୁ ଦୃଢ଼ ଶବ୍ଦରେ ନିନ୍ଦା କରାଯାଇଥିଲା। ଏସସିବିଏ ପକ୍ଷରୁ କୁହାଯାଇଛି ଯେ, ପ୍ରତ୍ୟେକ ନାଗରିକଙ୍କର ଅଦାଲତକୁ ଯିବା ଏବଂ ଆଇନ ଅନୁଯାୟୀ ନ୍ୟାୟ ଭିକ୍ଷା କରିବାର ଅଧିକାର ରହିଛି। ମାତ୍ର ଦେଶର ପ୍ରଧାନ ବିଚାରପତିଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେବା ନ୍ୟାୟପାଳିକା ଅନୁଷ୍ଠାନକୁ ଅପମାନିତ କରିବା ସହ ସମାନ। ଏହା ନ୍ୟାୟିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାର ଏକ ଅପଚେଷ୍ଟା।
ଜୁଡିସିଆରୀ ଉପରେ ଆମର ସମ୍ପୂର୍ଣ୍ଣ ଆସ୍ଥା ରହିଛି: ପବନ ଖେଡ଼ା
ଏହି ଘଟଣାକୁ ନେଇ କଂଗ୍ରେସର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ପବନ ଖେଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "ଆମେ ଏହି ପୋଷ୍ଟ ସହ ଆଦୌ ସହମତ ନହୁଁ। ଯିଏ ବି ଏହା କରିଥାଉ, ତାହା ସମ୍ପୂର୍ଣ୍ଣ ଭୁଲ୍। ଆମର ଏହି ଦେଶର ନ୍ୟାୟପାଳିକା ଉପରେ ପୂର୍ଣ୍ଣ ବିଶ୍ୱାସ ଓ ଆସ୍ଥା ରହିଛି। ଆମେ ଦେଶର ସର୍ବୋଚ୍ଚ ଅଦାଲତକୁ ସମ୍ମାନ କରୁ, ସେଥିପାଇଁ ନ୍ୟାୟ ପାଇଁ ଆମେ ସବୁବେଳେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାଉ।"