ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡି ମେଣ୍ଟର ସାଂସଦ ଓ ନେତୃବୃନ୍ଦ ସୋମବାର ବାରଖମ୍ବା ରୋଡରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା କରୁଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ତୀବ୍ର ସମାଲୋଚନା କରିଛନ୍ତି । ଚୌହାନ ଏହି କାର୍ଯ୍ୟକୁ ରାହୁଲ ଗାନ୍ଧୀଙ୍କ ଏକ ନାଟକ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନ ବିଚାରପତିଙ୍କୁ ଭେଟିବା ପାଇଁ ରାହୁଲ ଗାନ୍ଧୀଙ୍କ ସୁପ୍ରିମକୋର୍ଟ ଅଭିମୁଖେ ପଦଯାତ୍ରା ଏକ 'ନାଟକ'। ଗତକାଲି ପର୍ଯ୍ୟନ୍ତ ଶ୍ରୀରାମଙ୍କୁ ବିରୋଧ କରୁଥିବା ଲୋକମାନେ ଆଜି ଭଗବାନ ଶିବଙ୍କ ବିଷୟରେ କହୁଛନ୍ତି ବୋଲି କଟାକ୍ଷ କରିଛନ୍ତି ଶିବରାଜ ।
ଆଜି କେନ୍ଦ୍ର ମନ୍ତ୍ରୀ ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ ନିର୍ବାଚନୀ ପରାଜୟ ପାଇଁ ନିର୍ବାଚନ ଆୟୋଗଙ୍କୁ ଦାୟୀ କରୁଛି । କିନ୍ତୁ କଂଗ୍ରେସର ଏହି ପରାଜୟ ପାଇଁ ଦିଗହରା ନେତୃତ୍ୱ ପ୍ରକୃତରେ ଦାୟୀ।
ଶିବରାଜ କହିଛନ୍ତି ଯେ ଗତ କିଛି ବର୍ଷ ଧରି କଂଗ୍ରେସ ଦଳ ସାମ୍ବିଧାନିକ ପ୍ରତିଷ୍ଠାନଗୁଡ଼ିକୁ ଆକ୍ରମଣ କରି ଏହାର ପରାଜୟ ପାଇଁ ସେମାନଙ୍କୁ ଦାୟୀ କରୁଛି । ଏହାର ନିଜ ନେତୃତ୍ୱ ଏଥିପାଇଁ ଦାୟୀ କାରଣ ଏହା 'ବିଚାର ହୀନ । ଏହା ବହୁ ବର୍ଷ ଧରି ଅନେକ ରାଜ୍ୟରୁ ଅଦୃଶ୍ୟ ହୋଇଯାଇଛି। ପ୍ରଧାନ ବିଚାରପତିଙ୍କୁ ଭେଟିବା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ଅଛି। ଆପଣ କେବଳ ଚିଠି ଲେଖି ଯେତେବେଳେ ଚାହିଁବେ ତାଙ୍କୁ ଭେଟିପାରିବେ ନାହିଁ । ଏହା କେବଳ ଏକ ନାଟକ ବ୍ୟତୀତ ଆଉ କିଛି ନୁହେଁ।
କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ସାରା ଦେଶରେ ଏକ ଜୁନିଅର ପାର୍ଟନର ଏବଂ ଏକ ପରଜୀବୀ ଦଳ ପାଲଟିଛି। ସେ କହିଛନ୍ତି ଯେ କଂଗ୍ରେସ ବିହାରରେ ଆରଜେଡି, ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି, ବିଏସପି ଏବଂ ଝାଡ଼ଖଣ୍ଡରେ ଜେଏମ୍ଏମ୍ ଉପରେ ନିର୍ଭର କରୁଛି ।