ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ‘କାକରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ ଜାତିସଂଘ (UN) ପକ୍ଷରୁ ପ୍ରକାଶ ପାଇଥିବା ଉଦବେଗକୁ ଭାରତ ସରକାର କଡ଼ା ଭାଷାରେ ଖଣ୍ଡନ କରିଛନ୍ତି। ନୂଆଦିଲ୍ଲୀ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଭାରତର ଆଭ୍ୟନ୍ତରୀଣ ବ୍ୟାପର ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଏଭଳି ମନ୍ତବ୍ୟ ଦେବା ସମ୍ପୂର୍ଣ୍ଣ ଅନାବଶ୍ୟକ ଏବଂ ଅଗ୍ରହଣୀୟ।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ତଥା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦର୍ଶଯାଇଛି ଯେ, ଦେଶର ସାର୍ବଭୌମତ୍ୱ ଏବଂ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ନିୟମ ଅନୁଯାୟୀ ପଦକ୍ଷେପ ନେଇଛି। ଏକ ସାଧାରଣ ଆଭ୍ୟନ୍ତରୀଣ ଘଟଣା ଏବଂ ଆଇନଗତ ପରିସ୍ଥିତିକୁ ନେଇ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ମୁଣ୍ଡ ପୂରାଇବା ଭାରତୀୟ ସମ୍ବିଧାନ ଏବଂ ଗଣତନ୍ତ୍ରର ମର୍ଯ୍ୟାଦା ବିରୋଧୀ।
ଦେଶର ନିର୍ବାଚନ ପ୍ରକ୍ରିୟା ଏବଂ ଆଇନଗତ ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ୱାଧୀନ ଓ ସ୍ୱଚ୍ଛ ବୋଲି ଦର୍ଶାଇ ଭାରତ ସରକାର ଆନ୍ତର୍ଜାତୀୟ ସ୍ତରରେ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ କୌଣସି ପ୍ରକାରର ବାହ୍ୟ ହସ୍ତକ୍ଷେପକୁ ଦୃଢ଼ ବିରୋଧ କରିଛନ୍ତି।
ଜାତିସଂଘର କଡ଼ା ବାର୍ତ୍ତା
ଜାତିସଂଘ ମାନବିକ ଅଧିକାର କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇ କୁହାଯାଇଛି ଯେ, ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଉପରେ କଟକଣା ଲଗାଇବା ବେଳେ ଆବଶ୍ୟକତା ଏବଂ ଆନୁପାତିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ। ଆନ୍ଦୋଳନକାରୀଙ୍କ ମୌଳିକ ଅଧିକାର ଏବଂ ସ୍ୱାଧୀନତା ସୁରକ୍ଷିତ ରହିବା ଜରୁରୀ ବୋଲି ଜାତିସଂଘ ପକ୍ଷରୁ ଦର୍ଶାଯାଇଛି। ଏହା ସହିତ ଅଟକ ରଖାଯାଇଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଏବଂ ବିନା ସର୍ତ୍ତରେ ମୁକ୍ତ କରିବାକୁ ଦାବି କରାଯାଇଛି।