କୋଲକାତା: ପଶ୍ଚିମବଙ୍ଗରେ ବାବରୀ ମସଜିଦର ମୂଳଦୂଆ ସ୍ଥାପନ କରିଥିବା ନବାଦା ବିଧାୟକ ତଥା 'ଆମ ଜନତା ଉନ୍ନୟନ ପାର୍ଟି'ର ସଭାପତି ହୁମାୟୁନ୍ କବୀର ଖୁବଶୀଘ୍ର ରାଜନୀତିରୁ ଅବସର ଏବଂ ବିଧାୟକ ପଦରୁ ଇସ୍ତଫା ଦେବା ନେଇ ସଙ୍କେତ ଦେଇଛନ୍ତି । ରେଜିନଗର ଉପ-ନିର୍ବାଚନର ଫଳାଫଳ ଘୋଷଣା ହେବା ପୂର୍ବରୁ ହିଁ ସେ ନିଜର ପରାଜୟ ସ୍ୱୀକାର କରିନେଇଛନ୍ତି ।
ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ହୁମାୟୁନ୍ କବୀର ଭାବବିହ୍ୱଳ ହୋଇ କାନ୍ଦି ପକାଇଛନ୍ତି । ରେଜିନଗର ଉପ-ନିର୍ବାଚନ ସମ୍ପର୍କରେ କବୀର ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ ଭୋଟରମାନଙ୍କୁ ମୁକ୍ତ ଭାବେ ମତଦାନ କରିବାକୁ ଦିଆଯାଇନଥିଲା ଏବଂ ସେଠାରେ ବ୍ୟାପକ ନିର୍ବାଚନୀ ଅନିୟମିତତା ହୋଇଥିବା ଦାବି କରିଛନ୍ତି । କବୀର ସେ ଘୋଷଣା କରିଛନ୍ତି ଯେ ଯେପର୍ଯ୍ୟନ୍ତ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ପଦରେ ରହିବେ, ସେପର୍ଯ୍ୟନ୍ତ ସେ ବିଧାନସଭାକୁ ଯିବେ ନାହିଁ । ଏହି ନିଷ୍ପତ୍ତି ପାଇଁ ସେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ନିକଟରେ କ୍ଷମା ମାଗିଥିଲେ। ସେ କହିଥିଲେ ଯେ ନିଜ ନିଷ୍ପତ୍ତି ପାଇଁ କ୍ଷମା ମାଗିବାକୁ ଦୁର୍ଗା ପୂଜା ପରେ ସେ ଜନସାଧାରଣଙ୍କୁ ଭେଟିବେ ।
ମୁର୍ଶିଦାବାଦ ଜିଲ୍ଲାର ରେଜିନଗର ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ବିଧାୟକ ହୁମାୟୁନ୍ କବୀରଙ୍କୁ ପୋଲିସ ଅଟକ ରଖିଥିଲା। ପୋଲିସ୍ କର୍ମଚାରୀଙ୍କୁ ଧମକ ଦେବା ଏବଂ ଶାନ୍ତିଭଙ୍ଗ କରିବା ଅଭିଯୋଗରେ ତାଙ୍କୁ ଅଟକ ରଖାଯାଇଥିଲା। ପ୍ରାୟ ୧୨ ଘଣ୍ଟା ପରେ ପୋଲିସ ତାଙ୍କୁ ଛାଡ଼ି ଦେଇଥିଲା। କବିର ନିର୍ବାଚନରେ କୌଣସି ପ୍ରାର୍ଥୀ ନୁହଁନ୍ତି କିମ୍ବା ଜଣେ ଅଧିକୃତ ପୋଲିଂ ଏଜେଣ୍ଟ ମଧ୍ୟ ନୁହଁନ୍ତି । ତେଣୁ, ଭୋଟ୍ ଗ୍ରହଣ ପ୍ରକ୍ରିୟା ଚାଲିଥିବା ସମୟରେ ତାଙ୍କର ବୁଲିବା ଏବଂ ଉତ୍ତେଜନାମୂଳକ ଆଚରଣ ଯୋଗୁଁ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ବୋଲି ଜିଲ୍ଲାପାଳ କହିଥିଲେ ।