ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଉତ୍ତରପ୍ରଦେଶରେ ରାଜ୍ୟସଭା ନିର୍ବାଚନ ପାଇଁ ୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ତେବେ ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ବି.ଏଲ୍. ବର୍ମାଙ୍କୁ ଟିକେଟ୍ ମିଳି ନାହିଁ। ଦଳୀୟ ପ୍ରାର୍ଥୀ ତାଲିକାରୁ ଏହି ଦୁଇ ପ୍ରମୁଖ ନେତାଙ୍କ ନାମ ବାଦ୍ ପଡ଼ିବା ପରେ କେନ୍ଦ୍ରୀୟ କ୍ୟାବିନେଟ୍ରେ ଅଦଳବଦଳ କିମ୍ବା ସମ୍ପ୍ରସାରଣ ନେଇ ରାଜନୈତିକ କରିଡରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ ଯେ, ହରଦୀପ ସିଂହ ପୁରୀ ଏବଂ ବି.ଏଲ୍. ବର୍ମାଙ୍କ ବର୍ତ୍ତମାନର ରାଜ୍ୟସଭା କାର୍ଯ୍ୟକାଳ ଚଳିତ ବର୍ଷ ନଭେମ୍ବର ୨୫ ତାରିଖରେ ଶେଷ ହେବାକୁ ଯାଉଛି।
ହରଦୀପ ସିଂହ ପୁରୀଙ୍କୁ ପ୍ରଥମେ ୨୦୧୮ ଜାନୁଆରୀରେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ପଠାଯାଇଥିଲା। ଏହାପରେ ୨୦୨୦ ନଭେମ୍ବର ୨୬ରେ ସେ ପୁଣିଥରେ ଉତ୍ତରପ୍ରଦେଶରୁ ନିଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ମୋଦି ସରକାରରେ ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ଏବଂ ପରେ ୨୦୨४ରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା।
ମନ୍ତ୍ରୀପଦ ଯିବା ନେଇ ବଢ଼ିଲା ଆଶଙ୍କା ?
ସମ୍ବିଧାନ ଓ ସଂସଦୀୟ ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି କେନ୍ଦ୍ରମନ୍ତ୍ରୀ ଭାବେ ରହିବା ପାଇଁ ସଂସଦର ଯେକୌଣସି ଗୋଟିଏ ସଦନ (ଲୋକସଭା କିମ୍ବା ରାଜ୍ୟସଭା)ର ସଦସ୍ୟ ହେବା ବାଧ୍ୟତାମୂଳକ ଅଟେ। ଯଦି କୌଣସି ମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୁଏ ଏବଂ ଦଳ ତାଙ୍କୁ ପୁନର୍ବାର ସଂସଦକୁ ନ ପଠାଏ, ତେବେ ତାଙ୍କୁ ମନ୍ତ୍ରୀପଦ ଛାଡ଼ିବାକୁ ପଡ଼ିଥାଏ।
ଉଦାହରଣ ସ୍ୱରୂପ, ଚଳିତ ବର୍ଷ ଜୁନ୍ ମାସରେ ବିଜେପି ରବନୀତ ସିଂହ ବିଟ୍ଟୁଙ୍କୁ ରାଜ୍ୟସଭା ଟିକେଟ୍ ଦେଇ ନଥିବା ବେଳେ କାର୍ଯ୍ୟକାଳ ସରିବା ପରେ ଜର୍ଜ କୁରିୟନ ଇସ୍ତଫା ଦେଇଥିଲେ। ସେହିପରି ବର୍ତ୍ତମାନ ଏହି ଦୁଇ ନେତାଙ୍କୁ ଟିକେଟ୍ ନ ମିଳିବା କାରଣରୁ ସେମାନଙ୍କର ମନ୍ତ୍ରୀପଦ ଯିବା ଏକପ୍ରକାର ନିଶ୍ଚିତ ବୋଲି ଅନୁମାନ କରାଯାଉଛି।
ଆହୁରି କିଛି ମନ୍ତ୍ରୀଙ୍କୁ ମଧ୍ୟ ମିଳିପାରେ ନୂଆ ଦାୟିତ୍ୱ
ଏହା ବ୍ୟତୀତ ମୋଦି କ୍ୟାବିନେଟ୍ର ଅନ୍ୟ କିଛି ମନ୍ତ୍ରୀଙ୍କୁ ମଧ୍ୟ ସାଙ୍ଗଠନିକ ଦାୟିତ୍ୱ ମିଳିଛି। ଯେପରିକି ପଙ୍କଜ ଚୌଧୁରୀଙ୍କୁ ଉତ୍ତରପ୍ରଦେଶ ବିଜେପି ଏବଂ ହର୍ଷ ମଲ୍ହୋତ୍ରାଙ୍କୁ ଦିଲ୍ଲୀ ବିଜେପିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଭାରତୀୟ ଜନତା ପାର୍ଟି ସାଧାରଣତଃ 'ଏକ ବ୍ୟକ୍ତି-ଏକ ପଦ' ନୀତିରେ କାମ କରୁଥିବାରୁ, ଏହି ଦୁଇ ନେତାଙ୍କୁ ମଧ୍ୟ ଆଗାମୀ ଦିନରେ କେନ୍ଦ୍ରୀୟ ମନ୍ତ୍ରୀପଦରୁ ଅବ୍ୟାହତି ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହାକୁ ନେଇ ଦଳ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ।