ନୂଆଦିଲ୍ଲୀ: ନିର୍ବାଚନ ପ୍ରଣାଳୀରେ କଥିତ ଅନିୟମିତତା ଏବଂ ଏସଆଇଆର୍ ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ମଙ୍ଗଳବାର ଦିଲ୍ଲୀରେ ରାଜନୈତିକ ଉତ୍ତାପ ବୃଦ୍ଧି ପାଇଛି। 'ଇଣ୍ଡି' ମେଣ୍ଟର ସାଂସଦ ଓ ନେତାମାନେ ନିର୍ବାଚନ ଆୟୋଗ (EC) କାର୍ଯ୍ୟାଳୟ ଘେରାଉ କରିବାକୁ ରାଜ୍ୟରାଜପଥକୁ ଓହ୍ଲାଇଥିଲେ। ପ୍ରଦର୍ଶନ ସମୟରେ ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ବ୍ୟାରିକେଡ୍ ଉପରେ ଚଢ଼ି ତ୍ରିରଙ୍ଗା ଉଡ଼ାଉଥିବା ନଜର ଆସିଥିଲେ। ପୋଲିସ ସହ ବିରୋଧୀ ନେତାଙ୍କ ତୀକ୍ଷ୍ଣ ଧସ୍ତାଧସ୍ତି ପରେ ପରିସ୍ଥିତି ସରଗରମ ହୋଇପଡ଼ିଥିଲା।
ପ୍ରଦର୍ଶନ ପରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କେ.ସି. ଭେନୁଗୋପାଳ ଆକାଶବାଣୀ ଭବନ ପରିସରରେ ଏକ ଗଛମୂଳେ ଧାରଣାରେ ବସିଥିଲେ। ପ୍ରାୟ ୯ ଘଣ୍ଟା ଧରି ଚାଲିଥିବା ଏହି ହାଇ-ଭୋଲ୍ଟେଜ୍ ଡ୍ରାମା ପରେ ଦିଲ୍ଲୀ ପୋଲିସ ରାତି ପ୍ରାୟ ୮ଟା ସମୟରେ ଏହି ସମସ୍ତ ନେତାଙ୍କୁହେପାଜତକୁ ନେଇଥିଲା। ପୋଲିସ ରାହୁଲ ଓ ପ୍ରିୟଙ୍କାଙ୍କୁ କିଙ୍ଗ୍ସୱେ କ୍ୟାମ୍ପ୍ ନେଇଥିବା ବେଳେ ପ୍ରାୟ ୨ ଘଣ୍ଟା ପରେ ଉଭୟଙ୍କୁ ଛାଡ଼ିଥିଲା। ଏହାପରେ ଉଭୟ ନେତା ଗୋଟିଏ ଗାଡ଼ିରେ ବସି ସେଠାରୁ ବାହାରିଥିଲେ।
ପୋଲିସ କାର୍ଯ୍ୟାନୁଷ୍ଠାନ ଓ ୨୬୦ ଜଣ ଅଟକ
ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ ଶାନ୍ତିଶୃଙ୍ଖଳା ଓ ସାଧାରଣ ସୁରକ୍ଷା ବଜାୟ ରଖିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଆଇନଗତ ଭାବେ ଗ୍ରହଣ କରାଯାଇଛି। ଆଇନଗତ ନିର୍ଦ୍ଦେଶକୁ ଅମାନ୍ୟ କରିବାରୁ ପ୍ରାୟ ୨୬୦ ଜଣ ପ୍ରଦର୍ଶନକାରୀଙ୍କୁ (ଯେଉଁଥିରେ 10 ଜଣ ସାଂସଦ ସାମିଲ ଥିଲେ) ଅଟକ ରଖାଯାଇଥିଲା। ଅଧିକାଂଶ ପ୍ରଦର୍ଶନକାରୀ ସେଠାରୁ ଚାଲିଯାଇଥିଲେ ମଧ୍ୟ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ କେ.ସି. ଭେନୁଗୋପାଳଙ୍କ ସମେତ ୫୦-୬୦ ଜଣ ସମର୍ଥକ ବିନା ଅନୁମତିରେ ଆକାଶବାଣୀ ଭବନ ଭିତରେ ଧାରଣାରେ ବସି ରହିଥିଲେ।
କିପରି ଆକାଶବାଣୀ ଭବନ ଭିତରେ ପଶିଲେ ରାହୁଲ?
ମଙ୍ଗଳବାର ସକାଳ ପ୍ରାୟ ୧୧ଟାରେ ସଂସଦ ଭବନରୁ ନାରାବାଜି କରି ବାହାରିଥିବା ବିରୋଧୀ ସାଂସଦମାନଙ୍କୁ ନିର୍ବାଚନ ସଦନଠାରୁ ପ୍ରାୟ ୨୦0 ମିଟର ଦୂରରେ ଅଟକାଯାଇଥିଲା। ଅନେକ ନେତାଙ୍କୁ ବସରେ ଭର୍ତ୍ତିକରି ଅନ୍ୟତ୍ର ନିଆଯାଇଥିଲା। ମଧ୍ୟାହ୍ନ ପ୍ରାୟ ୧୨:୨୦ ମିନିଟ୍ ସମୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ହଠାତ୍ ସଂସଦ ମାର୍ଗ ଆଡ଼କୁ ଥିବା ଆକାଶବାଣୀ ଭବନର ସ୍ୱାଗତ କକ୍ଷ ପ୍ରବେଶ ଦ୍ୱାର ଆଡ଼କୁ ଦୌଡ଼ିଥିଲେ ଏବଂ ଭିତରେ ପଶିଯାଇଥିଲେ। ସୁରକ୍ଷାକର୍ମୀମାନେ ବାଧା ଦେବା ସତ୍ତ୍ୱେ ସେ ନିଜର ସୁରକ୍ଷାକର୍ମୀଙ୍କ ସହ ଜବରଦସ୍ତ ଭିତରକୁ ଚାଲିଯାଇଥିଲେ।
"ମୁଁ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ରକ୍ଷା ପାଇଁ ଛିଡ଼ା ହୋଇଛି"
ଆକାଶବାଣୀ ଭବନ ଭିତରୁ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧୀ କହିଥିଲେ, "ବିଜେପି କ'ଣ କହୁଛି ମୁଁ ତାହାକୁ ପରୱା କରେ ନାହିଁ। ମୁଁ ଦେଶର ଗଣତନ୍ତ୍ର ରକ୍ଷା ପାଇଁ ଏଠାରେ ଛିଡ଼ା ହୋଇଛି।" ସେ ଅଭିଯୋଗ କରିଥିଲେ ଯେ ଦେଶ ସହିତ ଯାହା କରାଯାଉଛି ତାହା ଦେଶଦ୍ରୋହ ସହ ସମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କିମ୍ବା ଅନ୍ୟ କେହି, କାହାକୁ ଛଡ଼ାଯିବ ନାହିଁ। ଧାରଣାସ୍ଥଳରେ ନେତାମାନଙ୍କ ପାଇଁ ଜଳଖିଆ, ପାଣି ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ମଗାଯାଇଥିବା ଦେଖିବାକୁ ମିଳିଥିଲା।