ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଉତ୍ତରାଖଣ୍ଡରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୯ ମାପ କରାଯାଇଥିବା ବେଳେ ଏହାର ପ୍ରଭାବରେ ଦିଲ୍ଲୀ-ଏନସିଆର, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ହରିୟାଣା ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ରାତି ପ୍ରାୟ ୧୦:୧୫ ମିନିଟ୍ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଥିବା ବେଳେ ଏହାର ଗଭୀରତା ମାଟିତଳୁ ୧୩ କିଲୋମିଟର ରହିଥିଲା। ହଠାତ୍ ଝଟକାରେ ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଏବଂ ସିମଲା ସମେତ ବିଭିନ୍ନ ସ୍ଥାନର ଲୋକମାନେ ହଠାତ୍ ହଲଚଲ ଅନୁଭବ କରିଥିଲେ।
ଭୂକମ୍ପର ଝଟକା ଜାଣିବାକ୍ଷଣି ଲୋକମାନେ ଭୟଭୀତ ହୋଇ ନିଜ ନିଜ ଆପାର୍ଟମେଣ୍ଟ ଏବଂ ଘରୁ ବାହାରକୁ ବାହାରି ଆସି ଖାଲି ସ୍ଥାନ କିମ୍ବା ରାସ୍ତାରେ ଆଶ୍ରୟ ନେଇଥିଲେ। ଦିଲ୍ଲୀର ସଫଦରଜଙ୍ଗ ଏନକ୍ଲେଭ୍ର ଜଣେ ଆଇନଜୀବୀ ସୋସିଆଲ ମିଡିଆରେ କହିଛନ୍ତି ଯେ, ସେମାନଙ୍କ ଘରର ସୋଫା ଏବଂ ସମଗ୍ର କୋଠାଟି ହଲୁଥିବା ସେ ସ୍ପଷ୍ଟ ଭାବେ ଅନୁଭବ କରିଥିଲେ।
ତେବେ ୪.୯ ପ୍ରବଳତାର ଏହି ଭୂକମ୍ପକୁ ଏକ ମଧ୍ୟମ ଧରଣର ଭୂକମ୍ପ ବୋଲି ବିବେଚନା କରାଯାଏ। ପ୍ରାଥମିକ ସୂଚନା ମୁତାବକ, ଏହି ପ୍ରାକୃତିକ ବିପର୍ଯ୍ୟୟରେ କୌଣସି ସ୍ଥାନରୁ କୌଣସି ପ୍ରକାରର ଜୀବନହାନି କିମ୍ବା ବଡ଼ଧରଣର କ୍ଷୟକ୍ଷତି ହୋଇଥିବା ନେଇ ଖବର ମିଳିନାହିଁ। ପ୍ରଥମେ ଏହାର ତୀବ୍ରତା ୪.୪ ବୋଲି ଆକଳନ କରାଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ଏହା ୪.୯ ଥିବା ସ୍ପଷ୍ଟ କରାଯାଇଛି।