ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ବିରୋଧରେ ଆସିଥିବା ଯାଚିକାର ମାନ୍ୟବର ସର୍ବୋଚ୍ଚ ଅଦାଲତ ସୋମବାର ଶୁଣାଣି କରିଛନ୍ତି । ନୂତନ ମତଦାତାଙ୍କ ନାମ ପଞ୍ଜିକରଣ ପାଇଁ ବ୍ୟବହାର ହେଉଥିବା ଫର୍ମ-୬କୁ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇନଥିବା ସ୍ପଷ୍ଟ କରିଛନ୍ତି । ଏହା ସହିତ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବାକୁ ଆସିଥିବା ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।
ପ୍ରଧାନ ନ୍ୟାୟାଧୀଶ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରରେ ବିଚାରପତି ଜୟମାଲା ବାଗଚୀ ଏବଂ ବି ମୋହନାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏସ୍ଆଇଆର୍ ପ୍ରକ୍ରିୟା ଏବଂ ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବାକୁ ଆସିଥିବା ଆବେଦନର ଶୁଣାଣି କରିଛନ୍ତି । ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ଫର୍ମ-୬ରେ ହୋଇଥିବା ପରିବର୍ତ୍ତନକୁ ସୁପ୍ରିମକୋର୍ଟ ମଞ୍ଜୁରି ପ୍ରଦାନ କରିନାହାଁନ୍ତି । ତାହାହେଲେ କାହା ନିର୍ଦ୍ଦେଶରେ ଫର୍ମ-୬ରେ ପରିବର୍ତ୍ତନ କରାଯାଇଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଏହା ଉପରେ ଜବାବ ଦାଖଲ କରିବାକୁ ମାନ୍ୟବର ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ବରିଷ୍ଠ ଆଇନଜୀବୀ ମେନକା ଗୋସ୍ୱାମୀ ଏବଂ ପ୍ରଧାନ ବିଚାରପତିଙ୍କ ମଧ୍ୟରେ ଯୁକ୍ତି ହୋଇଥିଲା ।
ଆଇନଜୀବୀ ମେନକା ଗୁରୁସ୍ୱାମୀ କହିଥିଲେ ଯେ, ଏହା ଏକ ଜାତୀୟ ସଂସ୍ଥା ଭାବରେ ନିର୍ବାଚନ ଆୟୋଗର କାର୍ଯ୍ୟଶୈଳୀ ସହ ଜଡ଼ିତ । ସେ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ନିଜ ଯୁକ୍ତିରେ ଅଟଳ ରହି କହିଥିଲେ, "ଆମେ ଏହି ଦେଶରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନର ପରିବେଶ ମଧ୍ୟରେ ବଡ଼ ହୋଇଛୁ; କିନ୍ତୁ ଆଜି ସେଭଳି ପରିସ୍ଥିତି ନାହିଁ।" ଯାହାର ଜବାବରେ ସିଜେଆଇ କହିଥିଲେ ଯେ ଆମେ ମଧ୍ୟ ଭଲ ଭାବେ ପ୍ରସ୍ତୁତ ହୋଇ ଆସିଛୁ ଏବଂ ଏ ସମ୍ବନ୍ଧରେ ଜ୍ଞାତ ଅଛୁ । ଆଇନଜୀବୀ ଗୋସ୍ୱାମୀ ପୁଣି ଦିଲ୍ଲୀ ଏସ୍ଆଇଆର୍ ପ୍ରକ୍ରିୟାର ଉଦାହରଣ ଦେଇଥିଲେ ଯେ ଯେଉଁଥିରେ ଫର୍ମ-୬ରେ ଦୁଇଟି ନୂତନ ସର୍ତ୍ତାବଳୀ ଯୋଡ଼ାଯାଇଥିଲା ଏବଂ ତାହାକୁ ଜାରି କରାଯାଇଥିଲା । ଯାହାର ଜବାବରେ ସିଜେଆଇ ସୂର୍ୟ୍ୟକାନ୍ତ ସ୍ପଷ୍ଟ କରିଥିଲେ ଯେ ସୁପ୍ରିମକୋର୍ଟ କୌଣସି ଫର୍ମର ପରିବର୍ତ୍ତନ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିନାହାଁନ୍ତି । ଯେଉଁଥିପାଇଁ ସିଜେଆଇ ଭାରଚୀୟ ନିର୍ବାଚନ ଆୟୋଗଙ୍କ ରେକର୍ଡ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ସ୍ପଷ୍ଟ ହେବେ ଜ୍ଞାନେଶ ନିଜେ ଏହି ନିଷ୍ପତି ନେଇଛନ୍ତି ନା ବହୁମତ କିମ୍ବା ସର୍ବସମ୍ମତି କ୍ରମେ ଫର୍ମ-୬ରେ ପରିବର୍ତ୍ତନ କରିଛନ୍ତି । ଆଇନଜୀବୀ ଗୋସ୍ୱାମୀ ଆହୁରି ଆଗକୁ ବଢ଼ି ଯୁକ୍ତି ରଖିଥିଲେ ଯେ ଦିଲ୍ଲୀରେ ୩୦ ଲକ୍ଷ ଏବଂ ପଶ୍ଚିମବଙ୍ଗରେ ୯୦ ଲକ୍ଷ ଭୋଟର ଏସ୍ଆଇଆର୍ ପ୍ରକ୍ରିୟାରେ ପ୍ରଭାବିତ ହୋଇଛନ୍ତି । ଯାହା ଏକ ଜାତୀୟ କାର୍ଯ୍ୟଶୈଳୀ ସହିତ ଜଡ଼ିତ । ସିଜେଆଇ ସୂର୍ଯ୍ୟକାନ୍ତ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଉତ୍ତର ଦେଇଥିଲେ ଯଦି ଏହା ବେଆଇନ ବୋଲି ପ୍ରମାଣିତ ହୁଏ ତେବେ ଏହାର ପରିଣାମ ମଧ୍ୟ ଭୋଗିବାକୁ ପଡ଼ିବ ।
ଏହା ସହିତ ପାଟନା ବାସିନ୍ଦା ରାକେଶ କୁମାରଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବାକୁ ଆସିଥିବା ଯାଚିକା ଉପରେ ଅନ୍ତରୀଣ ଆଦେଶ ଜାରି କରିବାକୁ ମନା କରିଛନ୍ତି । ଜ୍ଞାନେଶ କୁମାର ନିଜ ଶକ୍ତିର ଦୁରୂପଯୋଗ କରି ଏକତରଫା ନିଷ୍ପତି ନେଇଥିବା ସେ ଅଭିଯୋଗ କରିଥିଲେ । ଖଣ୍ଡପୀଠ ଜାଣିବାକୁ ଚାହିଁଛନ୍ତି, ଜ୍ଞାନେଶ କୁମାର ଏକତରଫା ନିଷ୍ପତି ନେଇଥିଲେ ନାଁ ଅନ୍ୟ ଦୁଇ ଜଣ ନିର୍ବାଚନ ଅଧିକାରୀଙ୍କ ସମ୍ମତି ନେଇଥିଲେ ? ଯଦି ବହୁମତରେ ନିଷ୍ପତି ହୋଇନଥିବ ତେବେ ତାଙ୍କ ନିଷ୍ପତିକୁ ରଦ୍ଦ କରାଯିବ । ଆବେଦନକାରୀଙ୍କ ଓକିଲ ବିକାଶ ସିଂହ ମାନ୍ୟବର ଅଦାଲତଙ୍କୁ ସ୍ପଷ୍ଟ କରିଛନ୍ତି, ନିର୍ବାଚନ ଆୟୋଗ ପ୍ରେମ ବିବୃତ୍ତି ଜାରି କରିଛନ୍ତି ଏବଂ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟକୁ ମଧ୍ୟ ସେ ଖଣ୍ଡନ କରି ନାହାଁନ୍ତି ।