ଗାନ୍ଧୀନଗର: ଗୁଜୁରାଟର ଭାବନଗର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାବନଗର ନିକଟସ୍ଥ ଟ୍ରାପାଜ୍ ଅଞ୍ଚଳରେ, ଏକ ଦ୍ରୁତଗାମୀ ବୋଲେରୋ ଗାଡ଼ି ଆଗରେ ଯାଉଥିବା ଏକ ଟ୍ରେଲରକୁ ଶକ୍ତ ଧକ୍କା ଦେଇଛି । ଫଳରେ ବୋଲେରୋରେ ଥିବା ୬ ଜଣ ଯାତ୍ରୀଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ସମସ୍ତ ଆଲଙ୍ଗ୍ ସିପୟାର୍ଡର କର୍ମଚାରୀ ବୋଲି ଜଣାପଡ଼ିଛି ।
ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବୋଲେରୋ ଗାଡ଼ିରେ ଥିବା ସମସ୍ତ ବ୍ୟକ୍ତି ଆଲାଙ୍ଗ୍ ଜାହାଜ ଭଙ୍ଗା କେନ୍ଦ୍ରର ଦୁଇଟି ଭିନ୍ନ ଭିନ୍ନ ପ୍ଲଟ୍ର କର୍ମଚାରୀ ଥିଲେ। ମୃତକମାନେ ହେଲେ ବିଜୟ ଭାଇ, ସାଧୁ ଭାଇ, ଜିଗ୍ନେଶ ଭାଇ, ଭାର୍ଗବ ଭାଇ, ହିରେନ ଭାଇ ଏବଂ ଯୋଗେଶ । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ନାମ ଜୟେଶ ଭାଇ ବୋଲି ଜଣାପଡ଼ିଛି। ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକ ଏବଂ ପୋଲିସ ସହାୟତାରେ ଆହତ ଜୟେଶ ଭାଇଙ୍କୁ ପ୍ରଥମେ ଭାବନଗର ସ୍ଥିତ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କର ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଦୁର୍ଘଟଣା ବିଷୟରେ ଖବର ପାଇବା ମାତ୍ରେ ପୋଲିସର ଏକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପୋଲିସ ଛଅଟି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରିଛି ।