ବିଶାଖାପାଟଣା: ଭାରତୀୟ ନୌସେନାର ସମୁଦ୍ରୀୟ କ୍ଷମତାକୁ ଆହୁରି ମଜବୁତ କରିବା ଦିଗରେ ଦେଶ ନେଇଛି ଏକ ବଡ଼ ପଦକ୍ଷେପ। ବିଶାଖାପାଟଣାସ୍ଥିତ ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡ୍ (HSL)ରେ ଦେଶର ପ୍ରଥମ ସ୍ୱଦେଶୀ ଫ୍ଲିଟ୍ ସପୋର୍ଟ ଶିପ୍ FSS-1 ‘INS ସୂର୍ଯ୍ୟ’କୁ ଲଞ୍ଚ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
ଏହା ସହିତ FSS-5ର କିଲ୍ ଲେଇଂ କରାଯାଇଥିବା ବେଳେ ଅପଗ୍ରେଡ୍ Slipway-4 ଏବଂ ୩୦୦ ଟନ୍ କ୍ଷମତାର Goliath Craneର ମଧ୍ୟ ଉଦ୍ଘାଟନ କରାଯାଇଛି। ରାଜନାଥ ସିଂ କହିଛନ୍ତି, FSS-1ର ଲଞ୍ଚ ଭାରତର ଉପଲବ୍ଧିର ପ୍ରତୀକ, FSS-5ର କିଲ୍ ଲେଇଂ ଦୃଢ଼ ସଂକଳ୍ପର ପ୍ରତୀକ ଏବଂ ନୂଆ ସ୍ଲିପୱେ ଭାରତର ବଢ଼ୁଥିବା ଶିପ୍ବିଲ୍ଡିଂ କ୍ଷମତାର ପ୍ରତୀକ।
ନୌସେନାର ଅପରେସନ୍ ହେବ ଆହୁରି ଦୀର୍ଘ
ଫ୍ଲିଟ୍ ସପୋର୍ଟ ଶିପ୍ର ବିଶେଷତ୍ୱ ହେଉଛି, ଏହା ସମୁଦ୍ର ମଝିରେ ଥିବା ଯୁଦ୍ଧଜାହାଜକୁ ଦୀର୍ଘ ସମୟ ଧରି ଆବଶ୍ୟକ ଲଜିଷ୍ଟିକ୍ ସହାୟତା ଯୋଗାଇପାରିବ। ଇନ୍ଧନ, ଆବଶ୍ୟକ ସାମଗ୍ରୀ ଏବଂ ମେଣ୍ଟେନାନ୍ସ ସପୋର୍ଟ ଦେବାର କ୍ଷମତା ରହିବ ଏହି ଜାହାଜଗୁଡ଼ିକରେ।
ସ୍ୱଦେଶୀ ଭାବେ ନିର୍ମିତ ଏହି FSSରେ ବଡ଼ କାର୍ଗୋ ଓ ଫ୍ଲୁଇଡ୍ କ୍ୟାପାସିଟି, ଫର୍ଷ୍ଟ-ଲାଇନ୍ ମେଣ୍ଟେନାନ୍ସ ୱର୍କସପ୍ ଏବଂ ମଲ୍ଟି-ରୋଲ୍ ହେଲିକପ୍ଟର ପାଇଁ ହେଲିପ୍ୟାଡ୍ ରହିବ। ସେଲ୍ଫ-ଡିଫେନ୍ସ ସିଷ୍ଟମ୍ ମଧ୍ୟ ଏଥିରେ ସାମିଲ ହେବ। ଫଳରେ ହିନ୍ଦ ମହାସାଗର ଅଞ୍ଚଳରେ ଭାରତୀୟ ନୌସେନାର ଦୀର୍ଘ ଦୂରତା ଅପରେସନ୍ କ୍ଷମତା ଆହୁରି ବଢ଼ିବ।
୪୫ ହଜାର DWT ପର୍ଯ୍ୟନ୍ତ ଜାହାଜ ନିର୍ମାଣ କରିବ HSL
HSLର ଅପଗ୍ରେଡ୍ Slipway-4 ଏବେ ୪୫,୦୦୦ DWT ପର୍ଯ୍ୟନ୍ତ ବଡ଼ ଜାହାଜ ନିର୍ମାଣ ଓ ଲଞ୍ଚ କରିପାରିବ। ଏହାସହ Slipway-3 ଓ 4 ମଧ୍ୟରେ ସ୍ଥାପିତ ୩୦୦ ଟନ୍ର Goliath Crane ଭାରୀ ଶିପ୍ ବ୍ଲକ୍କୁ ଶୀଘ୍ର ଓ ସଠିକ୍ ଭାବେ ହ୍ୟାଣ୍ଡଲ୍ କରିବ।
ରାଜନାଥ ସିଂ ବିଶାଖାପାଟଣାକୁ ଏକ ବଡ଼ Maritime Industrial Hub ଭାବେ ବିକଶିତ କରିବା ଉପରେ ଜୋର ଦେଇଛନ୍ତି। ନୌସେନା, DRDO, MSME, ଷ୍ଟାର୍ଟଅପ୍, ବିଶ୍ୱବିଦ୍ୟାଳୟ ଓ ଘରୋଇ ଶିଳ୍ପ ସହଯୋଗରେ ଭାରତୀୟ ଶିପ୍ବିଲ୍ଡିଂକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି।