ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଉଠାଯାଇଥିବା ଫର୍ମ-୬ ପରିବର୍ତ୍ତନ ଅଭିଯୋଗକୁ ନିର୍ବାଚନ ଆୟୋଗ (EC) ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି। ଆୟୋଗ ପକ୍ଷରୁ ଏକ ତଥ୍ୟ ଯାଞ୍ଚ ଜାରି କରାଯାଇ ରାହୁଲଙ୍କ ବୟାନକୁ ସମ୍ପୂର୍ଣ୍ଣ ଭ୍ରାମକ ଏବଂ ବିଭ୍ରାନ୍ତକର ବୋଲି ଦର୍ଶାଯାଇଛି। ଆୟୋଗ ସ୍ପଷ୍ଟ କରିଛି ଯେ, ବିହାରରେ ଏସଆଇଆର୍ ଆଦେଶ ୨୦୨୫ ଜୁନ୍ ୨୪ ତାରିଖରେ ଆୟୋଗର ସର୍ବସମ୍ମତ ଅନୁମୋଦନ କ୍ରମେ ଜାରି କରାଯାଇଥିଲା ଏବଂ ଏହି ଆଦେଶକୁ ସୁପ୍ରିମକୋର୍ଟ ମଧ୍ୟ ୨୦୨୬ ମେ' ୨୭ ତାରିଖର ରାୟରେ ବଳବତ୍ତର ରଖିଛନ୍ତି।
ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ସେପ୍ଟେମ୍ବର ୨୬ ତାରିଖର ନିର୍ବାଚନ ଆୟୋଗର ପ୍ରେସ୍ନୋଟ୍ର ପ୍ରସଙ୍ଗ ଟାଣି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପୋଷ୍ଟ କରି ଅଭିଯୋଗ କରିଥିଲେ ଯେ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଫର୍ମ-୬ରେ 'ବେଆଇନ ଏବଂ ଏକପାଖିଆ' ଭାବେ ପରିବର୍ତ୍ତନ କରିଛନ୍ତି।
କଂଗ୍ରେସ ସାଂସଦ ଅଭିଯୋଗ କରିଥିଲେ ଯେ, ଏହା ବିଜେପିକୁ ଫାଇଦା ପହଞ୍ଚାଇବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ପଦର ଦୁରୁପରୋଗ କରାଯିବାର ଆଉ ଏକ ପ୍ରମାଣ ଅଟେ। ଗଣତନ୍ତ୍ର ଉପରେ ଏହି ଅପରାଧିକ ଆକ୍ରମଣରେ ସାମିଲ ଥିବା ଜ୍ଞାନେଶ କୁମାର ଏବଂ ଅନ୍ୟ ସମସ୍ତ ବ୍ୟକ୍ତିଙ୍କୁ ଉତ୍ତରଦାୟୀ କରାଯିବ ବୋଲି ସେ କହିଥିଲେ।
ନିର୍ବାଚନ ଆୟୋଗର କଡ଼ା ପ୍ରତିକ୍ରିୟା
ନିର୍ବାଚନ ଆୟୋଗ ରାହୁଲ ଗାନ୍ଧୀଙ୍କ ଏହି ଅଭିଯୋଗକୁ ଦୃଢ଼ ଖଣ୍ଡନ କରି 'ଏକ୍ସ'ରେ ସ୍ପଷ୍ଟ କରିଛି ଯେ, ଇସିଆଇର ସେପ୍ଟେମ୍ବର ୨୬, ୨୦୨୬ ର ପ୍ରେସ୍ନୋଟ୍ ଅନୁଯାୟୀ ଏସଆଇଆର୍ ପାଇଁ ପ୍ର-୬ ସହିତ ସଂଲଗ୍ନ ଘୋଷଣାପତ୍ରକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଛନ୍ତି ଏବଂ ଏହାକୁ ବଳବତ୍ତ ରଖିଛନ୍ତି।
ଅନ୍ୟପଟେ, ଏହି ମାମଲାରେ CJI ସୂର୍ଯ୍ୟକାନ୍ତ ମଧ୍ୟ ସୋମବାର ଏକ ଶୁଣାଣି ସମୟରେ ସ୍ପଷ୍ଟ କରିଛନ୍ତି ଯେ, ସୁପ୍ରିମକୋର୍ଟ ଏସଆଇଆର୍ ସମୟରେ ଭୋଟର ତାଲିକାରେ ନାମ ସାମିଲ କରିବା ପାଇଁ ବ୍ୟବହୃତ ହେଉଥିବା ଫର୍ମ-୬ର କୌଣସି ସଂଶୋଧିତ ସଂସ୍କରଣକୁ ଅନୁମୋଦନ ଦେଇନାହାନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ଚଳାଇବା ଦାବି ନେଇ ଦାଏର ଏକ ଆବେଦନର ଶୁଣାଣି ବେଳେ ଏହି ଟିପ୍ପଣୀ ସାମ୍ନାକୁ ଆସିଛି।