ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ନେଇ ବଡ଼ ଆଶା ପ୍ରକାଶ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ସେ କହିଛନ୍ତି, ଏହି ଚୁକ୍ତି ଏକ ବଡ଼ ପଦକ୍ଷେପ ଏବଂ ଏଥିରେ ଭାରତ ପାଇଁ ବହୁତ ସମ୍ଭାବନା ରହିଛି।
କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀରେ ଯୋଗଦେଇ ଜୟଶଙ୍କର କହିଛନ୍ତି ଯେ, ଆମେରିକା ବିଶ୍ୱର ସବୁଠାରୁ ବଡ଼ ଓ ଲାଭଜନକ ବଜାର ମଧ୍ୟରୁ ଅନ୍ୟତମ। ତେଣୁ ଏହି ବଜାରରେ ଭାରତୀୟ ସାମଗ୍ରୀ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେଲେ ଦେଶର ଅର୍ଥନୀତିକୁ ଏହା ବଡ଼ ଲାଭ ଦେଇପାରିବ।
ସେ କହିଛନ୍ତି ଯେ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥାର ସମସ୍ତ ସମସ୍ୟା ପାଇଁ କେବଳ ଆମେରିକାକୁ ଦାୟୀ କରାଯାଇପାରିବ ନାହିଁ। ବିଭିନ୍ନ ଦେଶ ଓ ବଜାରରେ ମଧ୍ୟ ଅନେକ ସମସ୍ୟା ଓ ଅସମତୁଲତା ରହିଛି। ତେଣୁ ଏହାକୁ ନିରପେକ୍ଷ ଭାବେ ବିଚାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଭାରତର ଆମେରିକା ସହ ସମ୍ପର୍କ କେବଳ ବାଣିଜ୍ୟରେ ସୀମିତ ନୁହେଁ। ଆମେରିକା ଭାରତର ଏକ ପ୍ରମୁଖ ଅର୍ଥନୈତିକ, ବାଣିଜ୍ୟିକ ଓ ପ୍ରତିରକ୍ଷା ସହଯୋଗୀ ବୋଲି ଜୟଶଙ୍କର କହିଛନ୍ତି। ସେହିପରି ୟୁରୋପୀୟ ସଂଘ, ବ୍ରିଟେନ୍ ଓ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହ ଭାରତର ହୋଇଥିବା ଚୁକ୍ତି ଦେଶର ବାଣିଜ୍ୟିକ ସମ୍ପର୍କକୁ ଆହୁରି ସନ୍ତୁଳିତ କରିବ ବୋଲି ସେ କହିଛନ୍ତି।
ଜୟଶଙ୍କର ଆହୁରି କହିଛନ୍ତି ଯେ ଭାରତ ଚୀନ୍, ରୁଷିଆ ଓ ଉପସାଗରୀୟ ଦେଶଗୁଡ଼ିକ ସହ ମଧ୍ୟ ସମ୍ପର୍କକୁ ମଜବୁତ କରୁଛି। ବିଭିନ୍ନ ଦେଶ ସହ ସମ୍ପର୍କକୁ ନିଜ ସ୍ୱାର୍ଥ ଓ ସୁଯୋଗ ଅନୁଯାୟୀ ଆଗକୁ ବଢ଼ାଇବା ଭାରତର ନୀତି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ, ବିଶ୍ୱର ଯେକୌଣସି ସ୍ଥାନରେ ସାଧାରଣ ଲୋକଙ୍କ ଜାହାଜ ଉପରେ ଆକ୍ରମଣକୁ ଭାରତ ସମ୍ପୂର୍ଣ୍ଣ ଭାବେ ଅଗ୍ରହଣୀୟ ମନେ କରେ ବୋଲି ଜୟଶଙ୍କର କହିଛନ୍ତି। ରୁଷିଆ-ୟୁକ୍ରେନ୍ ଯୁଦ୍ଧର ସମାଧାନ ପାଇଁ ଆଲୋଚନା ଓ କୂଟନୀତି ହିଁ ଆଗକୁ ବଢ଼ିବାର ରାସ୍ତା ବୋଲି ସେ ମତ ଦେଇଛନ୍ତି।