ନୂଆଦିଲ୍ଲୀ: ଦେଶର ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ମୁସ୍କିଲ ଥମିବାର ନାଁ ନେଉନି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ସୁପ୍ରିମକୋର୍ଟରେ ଆଜିଠୁ ଶୁଣାଣି ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟରେ କିଛି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଏବଂ ପ୍ରଶାସନିକ ବ୍ୟକ୍ତିବିଶେଷଙ୍କ ଏକ ସଙ୍ଗଠନ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ପାଇଁ ମହାଭିଯୋଗ ଆଣିବାକୁ ଦାବି କରିଛନ୍ତି। ଏହି ଅଧିକାରୀମାନେ ନିର୍ବାଚନ ଆୟୋଗ (ECI) କାର୍ଯ୍ୟାଳୟ ବାହାରେ ପହଞ୍ଚି ନିଜର ଦାବି ଉପସ୍ଥାପନ କରିବାକୁ ଚାହୁଁଥିଲେ, କିନ୍ତୁ ପୋଲିସ ଏବଂ ପ୍ରଶାସନ ସେମାନଙ୍କୁ ଅଟକାଇବା ପାଇଁ କାର୍ଯ୍ୟାଳୟ ଚାରିପାଖରେ ବାରିକେଡ୍ ଲଗାଇ ଦୃଢ଼ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା।
ପୂର୍ବତନ ଅଧିକାରୀମାନଙ୍କ ଏହି ଗୋଷ୍ଠୀ ନିର୍ବାଚନ ଆୟୋଗର କାର୍ଯ୍ୟଶୈଳୀକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରମୁଖ ୬ଟି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ନିର୍ବାଚନ ପରିଚାଳନା, ସ୍ୱଚ୍ଛତା ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ କ୍ଷୁଣ୍ଣ କରାଯାଉଥିବା ନେଇ ଏହି ଅଭିଯୋଗପତ୍ରରେ ଦର୍ଶାଯାଇଛି। ସେମାନଙ୍କ ମତରେ, ଆୟୋଗର ସ୍ୱାଧୀନତା ଏବଂ ନିରପେକ୍ଷତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯାହା ଗଣତନ୍ତ୍ର ପାଇଁ ଶୁଭକର ନୁହେଁ।
ପ୍ରଶାସନିକ ଅଧିକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ମୁହାଁ ହୋଇଥିଲେ ହେଁ, ସୁରକ୍ଷାକର୍ମୀମାନେ ବାଟରେ ହିଁ ସେମାନଙ୍କୁ ଅଟକାଇ ଦେଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବାରିକେଡ୍ କରାଯାଇଥିଲା। ଏହି ଘଟଣା ପରେ ଜାତୀୟ ରାଜଧାନୀର ରାଜନୈତିକ ଏବଂ ପ୍ରଶାସନିକ ମହଲରେ ଚାଞ୍ଚଲ୍ୟ ଖେଳିଯାଇଛି।
Also Read: ଫର୍ମ-୬ ପରିବର୍ତ୍ତନ କଲା କିଏ ? ଜବାବ ମାଗିଲେ ସୁପ୍ରିମକୋର୍ଟ, ଜ୍ଞାନେଶ ନିଲମ୍ବନ ପାଇଁ ଦେଲେନି ଅନ୍ତରୀଣ ଆଦେଶ