ନୂଆଦିଲ୍ଲୀ: ଆଜି ତିନୋଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ପାଞ୍ଚଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । ତାମିଲନାଡୁର ମଦୁରନ୍ଥକମ୍ ଓ ଧାରାପୁରମ୍, ପୁଡୁଚେରୀର ଥାଟ୍ଟାଞ୍ଚାଭାଡି, ପଶ୍ଚିମବଙ୍ଗର ରେଜିନଗର ଏବଂ ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ର ପାଇଁ ମତଦାନ ଆରମ୍ଭ ହୋଇଛି । ସେହିପରି ଆସାମର ନାଗାଓଁ ଲୋକସଭା ଆସନ ପାଇଁ ଉପନିର୍ବାଚନ ହେଉଛି । ଏହି ମହାସଂଗ୍ରାମରେ ବିଜେପି, କଂଗ୍ରେସ, ମମତା ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ, ଡିଏମକେ, ଟିଭିକେ ଏବଂ ସିପିଆଇ ଆଶାୟୀମାନେ ମଇଦାନରେ ରହିଛନ୍ତି । ଆସନ୍ତା ୯ ତାରିଖ, ଶୁକ୍ରବାର ଦିନ ମତ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ ।
ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନ ସମସ୍ତଙ୍କ ଦୃଷ୍ଟିରେ ରହିଛି । ଯେଉଁ ନନ୍ଦିଗ୍ରାମ ଦିନେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ମହାଲଢ଼େଇ ହୋଇଥିଲା ଏବେ କିଏ ବାଜି ମାରିବ ବଡ଼ ଚର୍ଚ୍ଚାର ବିଷୟ । ଶୁଭେନ୍ଦୁ ଅଧିକାରୀ ବିଧାୟକ ପଦରୁ ଇସ୍ତଫା ଦେବା ପରେ ଏହି ଆସନଟି ଖାଲି ପଡ଼ିଥିଲା । ଅଧିକାରୀ ଏପ୍ରିଲ୍ ନିର୍ବାଚନ ସମୟରେ ଭବାନୀପୁର ନିର୍ବାଚନ ମଣ୍ଡଳୀରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ ଏବଂ ନନ୍ଦିଗ୍ରାମ ଆସନ ମଧ୍ୟ ଜିତିଥିଲେ । କିନ୍ତୁ ସେ ଭବାନୀପୁରର ପ୍ରତିନିଧିତ୍ୱ କରିବାକୁ ବାଛିଥିଲେ। ବିଜେପି ଏଠାରୁ ଶୁଭେନ୍ଦୁଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ସ୍ୱର୍ଗତ ଚନ୍ଦ୍ରନାଥ ରଥଙ୍କ ମାଆ ହାସିରାନୀ ରଥଙ୍କୁ ପ୍ରାର୍ଥୀ କରିଛି।
୧୫ ବର୍ଷ ପରେ କ୍ଷମତା ହରାଇଥିବା ଟିଏମସି ବର୍ତ୍ତମାନ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି। ମୂଳ ପ୍ରାର୍ଥୀ ନିଜ ନାମ ପ୍ରତ୍ୟାହାର କରିନେବା ପରେ, ଟିଏମସି କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ସମର୍ଥନ ଜଣାଇଛି । ସେ ୨୦୦୭ ମସିହାର ଏକ ମାମଲାରେ କଲିକତା ହାଇକୋର୍ଟରୁ ଅନ୍ତରୀଣ ଜାମିନ୍ ପାଇବା ପରେ ନିର୍ବାଚନ ଲଢ଼ୁଛନ୍ତି । ଅନ୍ୟପକ୍ଷରେ, ଟିଏମସିର ଏକ ବିରୋଧୀ ଗୋଷ୍ଠୀ ମହମ୍ମଦ ଏତେଶାମୁଲ୍ ହକ୍ଙ୍କୁ ଏବଂ ସିପିଆଇ (CPI) ଶାନ୍ତି ଗୋପାଳ ଗିରିଙ୍କୁ ପ୍ରାର୍ଥୀ କରିଛି ।
ସେପଟେ ତାମିଲନାଡୁର ମଦୁରନ୍ଥକମ୍ ଓ ଧାରାପୁରମ୍ ବିଧାନସଭା ଆସନ ପାଇଁ ହେଉଥିବା ଉପ-ନିର୍ବାଚନକୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ପାଇଁ ପ୍ରଥମ ବଡ଼ ରାଜନୈତିକ ପରୀକ୍ଷା ଭାବରେ ବିବେଚନା କରାଯାଉଛି। ନିଜ ଦଳ ଟିଭିକେ ଗଠନର ମାତ୍ର ଦୁଇ ବର୍ଷ ପରେ, ଏପ୍ରିଲ୍ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଜିତି ସେ କ୍ଷମତାକୁ ଆସିଥିଲେ।
ବର୍ତ୍ତମାନର ମଦୁରନ୍ଥକମ୍ ବିଧାୟକ ମାରାଗାଥମ୍ କୁମାରଭେଲ୍ ଏବଂ ଧାରାପୁରମ୍ ର ପି. ସତ୍ୟଭାମା ଏଆଇଏଡିଏମକେ ଛାଡ଼ି ଟିଭିକେରେ ଯୋଗଦେବା ପରେ ଏହି ଦୁଇଟି ଆସନ ଖାଲି ପଡ଼ିଥିଲା। ଟିଭିକେ ବର୍ତ୍ତମାନ ଉଭୟଙ୍କୁ ନିଜର ପ୍ରାର୍ଥୀ ଭାବରେ ମଇଦାନକୁ ଓହ୍ଲାଇଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ମଦୁରନ୍ଥକମରେ ୨୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଧାରାପୁରମରେ ୩୦ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ଡିଏମକେ ଦଳ, ଏଆଇଏଡିଏମକେ ଏବଂ ସିପିଆଇ ମଧ୍ୟ ନିଜ ନିଜର ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛନ୍ତି।
ଏହା ବ୍ୟତୀତ, ଆଜି ଆସାମର ନାଗାଓଁ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ଆସନ ପାଇଁ ବିଜେପି ପୂର୍ବତନ ଆଇଏଏସ୍ ଅଧିକାରୀ ଦେବାଶିଷ ଶର୍ମାଙ୍କୁ ପ୍ରାର୍ଥୀ କରିଥିବାବେଳେ, କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟିକା ଶିବାମଣି ବୋରା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟପକ୍ଷରେ, ଏଆଇୟୁଡିଏଫ୍ ମହମ୍ମଦ ବଦରୁଦ୍ଦିନ ଅଜମଲଙ୍କୁ ପ୍ରାର୍ଥୀ କରି ଏହି ଲଢ଼େଇକୁ ତ୍ରିକୋଣୀୟ ମୁକାବିଲାରେ ପରିଣତ କରିଛି ।