ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ପୁଣି ଚଳଚଞ୍ଚଳ ହେବ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ। ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ବିଭିନ୍ନ କ୍ୟାମ୍ପସରେ ଧୀରେ ଧୀରେ ଜମିବାରେ ଲାଗିଛି ନିର୍ବାଚନୀ ମାହୋଲ।
ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ ଏହି ନିର୍ବାଚନ ହେବ। ନିର୍ବାଚନ ସମୟରେ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଜୋରଦାର କରାଯିବ।
ନିର୍ବାଚନ କାର୍ଯ୍ୟସୂଚୀ ଅନୁସାରେ ଅକ୍ଟୋବର ୯ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନ ଯାଞ୍ଚ ହେବ ଏବଂ ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ।
ଅକ୍ଟୋବର ୧୦ରେ ପ୍ରାର୍ଥୀମାନେ ନାମ ପ୍ରତ୍ୟାହାର କରିପାରିବେ। ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ନିର୍ବାଚନ ପୂର୍ବରୁ ଅକ୍ଟୋବର ୧୪ରେ ‘WHY I STAND FOR’ ସଭା ହେବ। ଏଥିରେ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ସାମ୍ନାରେ ନିଜ ଲକ୍ଷ୍ୟ, ଚିନ୍ତାଧାରା ଓ କ୍ୟାମ୍ପସ ବିକାଶ ଯୋଜନା ରଖିବେ।
ଅକ୍ଟୋବର ୧୫ରେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହେବ। ଏହାପରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ଅକ୍ଟୋବର ୧୬ରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ।
ନିର୍ବାଚନରେ ପ୍ରାର୍ଥୀଙ୍କ ସର୍ବାଧିକ ଖର୍ଚ୍ଚ ସୀମା ୫ ହଜାର ଟଙ୍କା ରହିଛି। +୩ ବା ସ୍ନାତକ ସ୍ତରର ପ୍ରାର୍ଥୀଙ୍କ ବୟସ ୧୭ରୁ ୨୨ ବର୍ଷ ଏବଂ ସ୍ନାତକୋତ୍ତର ସ୍ତରରେ ସର୍ବାଧିକ ବୟସ ୨୫ ବର୍ଷ ରହିଛି।
ଲିଙ୍ଗଡୋ କମିଟିର ସୁପାରିସ ଓ ଲାଗୁ ନିର୍ବାଚନୀ ନିୟମ ଅନୁସାରେ ସମଗ୍ର ପ୍ରକ୍ରିୟା ସମ୍ପନ୍ନ ହେବ। ୮ ବର୍ଷ ପରେ ଛାତ୍ର ରାଜନୀତିର ଏହି ଗଣତାନ୍ତ୍ରିକ ପ୍ରକ୍ରିୟା କ୍ୟାମ୍ପସକୁ ଫେରୁଥିବାରୁ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ବାଚନୀ ଉଷ୍ମତା ବଢ଼ିବାରେ ଲାଗିଛି।