ଯାଜପୁର: ୮ ବର୍ଷ ପରେ ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସଗୁଡ଼ିକରେ ଉତ୍ସାହ ବଢ଼ିଥିବା ବେଳେ ଏକ କଲେଜରେ ନିଆଯାଇଛି ବଡ଼ ନିଷ୍ପତ୍ତି। ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ କରାଯାଇଛି।
କେବଳ ନିର୍ବାଚନ ସ୍ଥଗିତ ନୁହେଁ, ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କଲେଜ ବନ୍ଦ ରଖିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। କଲେଜର ନିର୍ବାଚନୀ କମିଟି ଓ ଏକାଡେମିକ୍ କମିଟିର ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
କଲେଜ ପକ୍ଷରୁ ଜାରି Notice No. 3078 ଅନୁସାରେ, ଅକ୍ଟୋବର ୮ ତାରିଖ ଅପରାହ୍ଣ ୧ଟାରୁ କଲେଜ ବନ୍ଦ ରହିବ। ଏଥିସହ ଆବାସିକ ଛାତ୍ରଛାତ୍ରୀଙ୍କୁ ମଧ୍ୟ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୯ ତାରିଖ ସକାଳ ସୁଦ୍ଧା ସମସ୍ତ ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଖାଲି କରିବାକୁ କୁହାଯାଇଛି। କଲେଜ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଙ୍କ ସହ କଳିଙ୍ଗନଗର ADMଙ୍କୁ ମଧ୍ୟ ଅବଗତ କରିଛନ୍ତି।
ତେବେ କେଉଁ କାରଣରୁ ନିର୍ବାଚନ ସ୍ଥଗିତ କରାଗଲା, ସେନେଇ ବିସ୍ତୃତ କାରଣ ସ୍ପଷ୍ଟ ହୋଇନାହିଁ। ପରବର୍ତ୍ତୀ ନିର୍ଦ୍ଦେଶ ପରେ ହିଁ ଛାତ୍ର ସଂସଦ ନିର୍ବାଚନର ନୂଆ ତାରିଖ ଓ କଲେଜ ଖୋଲିବା ନେଇ ସ୍ପଷ୍ଟତା ଆସିବ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କଲେଜ ପରିସରରେ ବୋମାମାଡ଼ ହୋଇଥିଲା। ପ୍ରିନ୍ସିପାଲଙ୍କ ରୁମ୍ ଓ ବାଳକ ହଷ୍ଟେଲ ନିକଟରେ ବୋମା ଫିଙ୍ଗାଯାଇଥିବା ଅଭିଯୋଗ ହୋଇଛି। ଛାତ୍ର ସଂସଦ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶର ଦିନକ ପରେ ଏଭଳି ଘଟଣା ଘଟିବାରୁ କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି ହୋଇଛି।