ନୂଆଦିଲ୍ଲୀ : ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ସାରା ଦେଶରେ ବିବାଦ ଘନେଇବାରେ ଲାଗିଛି। ବିରୋଧୀ ଦଳଗୁଡ଼ିକ ଏହି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଉଥିବା ବେଳେ ଏବେ ସୁପ୍ରିମକୋର୍ଟଙ୍କ ଜଣେ ପୂର୍ବତନ ବିଚାରପତି ଏହାକୁ ନେଇ ବଡ଼ ବିବୃତି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ଗୋପାଳ ଗୌଡ଼ା କହିଛନ୍ତି ଯେ, SIRକୁ ବୈଧ ଦର୍ଶାଇ କୋର୍ଟ ଦେଇଥିବା ପୂର୍ବ ରାୟକୁ ସର୍ବୋଚ୍ଚ ଅଦାଲତ ସ୍ୱତଃ ପ୍ରବୃତ୍ତ ଭାବେ ପ୍ରତ୍ୟାହାର କରିନେବା ଉଚିତ୍।
ଜଷ୍ଟିସ ଗୌଡ଼ା ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ଆୟୋଗ ଅଦାଲତରେ ଭୁଲ ତଥ୍ୟ ଉପସ୍ଥାପନ କରି ଏବଂ ସତ୍ୟ ଗୋପନ ରଖି କୋର୍ଟଙ୍କୁ ଭ୍ରମିତ କରିଛନ୍ତି। ଏହି ପ୍ରକ୍ରିୟାରେ ନିର୍ବାଚନ ଆୟୋଗ ଜାଲିଆତି କରିଥିବା ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କଠାରୁ ସମସ୍ତ ରେକର୍ଡ ମଗାଇ ଯାଞ୍ଚ କରିବା ଦରକାର, ଯାହାଦ୍ୱାରା SIR ନିଷ୍ପତ୍ତିରେ ସମସ୍ତ ନିର୍ବାଚନ କମିଶନରଙ୍କ ସମ୍ମତି ଥିଲା କି ନାହିଁ ତାହା ସ୍ପଷ୍ଟ ହୋଇପାରିବ। ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ SIR ନିଷ୍ପତ୍ତିରେ ବେଆଇନତା ଏବଂ ଅସାମ୍ବିଧାନିକତା ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି।
ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ବକ୍ତବ୍ୟକୁ ସମର୍ଥନ
ମତାଧିକାରରୁ ବଞ୍ଚିତ ହେବା ବିରୋଧରେ ସୁପ୍ରିମକୋର୍ଟଙ୍କ କାର୍ଯ୍ୟରତ ବିଚାରପତି ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ ଦେଇଥିବା ବକ୍ତବ୍ୟକୁ ଜଷ୍ଟିସ ଗୌଡ଼ା ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ଯେ ଜଣେ ବିଚାରପତି ଭାବେ ସାମ୍ବିଧାନିକ ପ୍ରସଙ୍ଗରେ ମତ ରଖି ଜଷ୍ଟିସ ଭୂୟାଁ କୌଣସି ଆଇନଗତ ଭୁଲ କରିନାହାନ୍ତି।
ଏଥିସହିତ ଜଷ୍ଟିସ ଭୂୟାଁଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିବା ପୂର୍ବତନ ପ୍ରଧାନ ବିଚାରପତି (CJI) ବି. ଆର. ଗଭଇଙ୍କୁ ମଧ୍ୟ ସେ ନିଶାନା କରିଛନ୍ତି। ଜଷ୍ଟିସ ଗୌଡ଼ା ପ୍ରଶ୍ନ କରିଛନ୍ତି ଯେ ଏପରି ସମାଲୋଚନା କରିବାର ଅଧିକାର ପୂର୍ବତନ CJI ଗଭଇଙ୍କର କାହିଁକି ରହିବ, ଯେତେବେଳେ କି ସେ ନିଜେ ବମ୍ବେ ହାଇକୋର୍ଟର ବିଚାରପତି ଥିବା ସମୟରେ ଅଦାଲତରେ ବିଚାରାଧୀନ ଥିବା ଲୋୟା ମାମଲାରେ ଟିପ୍ପଣୀ ଦେଇଥିଲେ।
ବିବାଦର ପୃଷ୍ଠଭୂମି
ସୂଚନାଯୋଗ୍ୟ ଯେ, ମେ’ ମାସରେ ସୁପ୍ରିମକୋର୍ଟ ବିହାରରେ SIRର ବୈଧତାକୁ କାଏମ ରଖିଥିଲେ। ମାତ୍ର ସମ୍ପ୍ରତି ନାଲସାର୍ ଆଇନ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ କହିଥିଲେ ଯେ ଲକ୍ଷ ଲକ୍ଷ ନାଗରିକଙ୍କୁ ଭୋଟ୍ ଦେବାରୁ ବଞ୍ଚିତ କରିବା ପ୍ରକ୍ରିୟା ସମ୍ପୂର୍ଣ୍ଣ ମନମୁଖୀ ଏବଂ ସାମ୍ବିଧାନିକ ବ୍ୟବସ୍ଥାର ବିରୋଧୀ। ଏହାକୁ ନେଇ ପୂର୍ବତନ CJI ବି. ଆର. ଗଭଇ କହିଥିଲେ ଯେ ଯେଉଁ ମାମଲା ଅଦାଲତରେ ବିଚାରାଧୀନ ଅଛି, ସେଥିରେ କାର୍ଯ୍ୟରତ ବିଚାରପତି ସାର୍ବଜନୀନ ଟିପ୍ପଣୀ ଦେବା ଶୋଭାପାଏ ନାହିଁ।