ନୂଆଦିଲ୍ଲୀ: ରୁଷରେ ଏକ ସମ୍ଭାବ୍ୟ ପ୍ଲେଗ୍ ସଂକ୍ରମଣ ପରେ ଭାରତରେ ମଧ୍ୟ ଛନକା ପଶିଛି । ରୁଷରେ ହଜାର ହଜାର ସଂଖ୍ୟାରେ ଭାରତୀୟ ନାଗରିକ ରହୁଥିବାରୁ ସରକାର ମଧ୍ୟ ଚିନ୍ତାରେ ପଡ଼ିଛନ୍ତି । ତେବେ ଏହାର ମୁକାବିଲା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ।
ଜୟସୱାଲ କହିଛନ୍ତି ଯେ ପ୍ଲେଗ ସ୍ଥିତି ସମ୍ପର୍କରେ ସମ୍ପୃକ୍ତ ଦେଶ ଅଧିକ ଭଲ ଭାବରେ ସୂଚନା ପ୍ରଦାନ କରିପାରିବେ । ରୁଷରେ ୩୦,୦୦୦ ରୁ ଅଧିକ ଭାରତୀୟ ଛାତ୍ର ପାଠ ପଢ଼ୁଥିବାବେଳେ ଏବଂ ପ୍ରାୟ ୭୦,୦୦୦ ଭାରତୀୟ ନାଗରିକ ବସବାସ କରୁଛନ୍ତି । ଯେତେବେଳେ ଆମର ନାଗରିକମାନଙ୍କୁ କୌଣସି ସହାୟତାର ଆବଶ୍ୟକତା ପଡ଼ିବ, ଆମେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରାଯିବ ବୋଲି ଜୟସ୍ୱାଲ ସ୍ପଷ୍ଟ କରିଛନ୍ତି ।
ସେପେଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହା ଉପରେ କୌଣସି ଆନୁଷ୍ଠାନିକ ସତର୍କତା ସୂଚନା ଜାରି କରିନାହିଁ । ହୁ ବରିଷ୍ଠ ଅଧିକାରୀ ମାରିଆ ଭାନ୍ କେର୍ଖୋଭ କହିଛନ୍ତି ଯେ ଅକ୍ଟୋବର ଦୁଇ ତାରିଖରେ ଯେଉଁ ମହିଳାଙ୍କ ମୃତ୍ୟୁ ହୋଇଛି ତାହାର ସ୍ପଷ୍ଟ କାରଣ ସାମ୍ନାକୁ ଆସିନାହିଁ । ତେଣୁ ଏଥିରେ ଅଧିକ ସୂଚନା ସଂଗ୍ରହ କରିବାକୁ ପଡିବ । ଏଥିପାଇଁ ହୁ ରୁଷଠାରୁ ଅଧିକ ସୂଚନା ମାଗିଛି। ରୁଷ ରିପୋର୍ଟ କରିଛି ଯେ ମହିଳାଙ୍କ ମୃତ୍ୟୁ ନିମୋନିଆ, ଏକ ସାଧାରଣ ଭାଇରାଲ୍ ସଂକ୍ରମଣରେ ହୋଇଥିଲା। ସେମାନେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହା ଏକ ସାଧାରଣ ରୋଗ।
ସାଇବେରିଆ ଅନ୍ତର୍ଗତ ଇର୍କୁଟସ୍କ ଅଞ୍ଚଳରେ ଶେଲେଖୋଭ୍ ସ୍ଥିତ 'ଆଣ୍ଟି-ପ୍ଲେଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍'ରେ ଜଣେ ମହିଳା ଲ୍ୟାବ୍ ଟେକ୍ନିସିଆନ୍ ଡାରିଆ ଶିପିଲୋଭାଙ୍କ ପ୍ଲେଗ୍ ରୋଗରେ ମୃତ୍ୟୁ ହୋଇଥିଲା । ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବା ସମୟରେ ସେ ଭୁଲବଶତଃ ତାଙ୍କ ଦ୍ୱାରା ଜୀବନ୍ତ ବ୍ୟାକ୍ଟେରିଆ ଥିବା ଏକ ଟେଷ୍ଟ ଟ୍ୟୁବ୍ ଭାଙ୍ଗି ଯାଇଥିଲା । ଏହି ସମୟରେ ସେ 'ନ୍ୟୁମୋନିକ୍ ପ୍ଲେଗ୍' ଦ୍ୱାରା ସଂକ୍ରମିତ ହୋଇଥିଲେ। ଗୁରୁତର ନିମୋନିଆ ଲକ୍ଷଣ ସହିତ ଡାରିଆ ଶିପିଲୋଭାଙ୍କୁ ଶେଲେଖୋଭ୍ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବା ପରେ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଅକ୍ଟୋବର ୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।
ଶିପିଲୋଭାଙ୍କ ସଂସ୍ପର୍ଶରେ ଆସିଥିବା ୨୦୦ରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ସଂଘରୋଧରେ ରଖାଯାଇଛି ।