ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ବୁଧବାର ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି। ସୀମାପୁରୀ ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ଅନେକ ଲୋକ ଧ୍ୱଂସାବଶେଷ ତଳେ ଫସିଥିବା ଆଶଙ୍କା କରାଯାଉଛି। ଖବର ପାଇବା ପରେ ଦିଲ୍ଲୀ ଅଗ୍ନିଶମ ସେବାର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
ଦିଲ୍ଲୀ ଅଗ୍ନିଶମ ସେବାକୁ ଅପରାହ୍ନ ପ୍ରାୟ ୩ଟା ୩୦ରେ କୋଠା ଭୁଶୁଡ଼ିବା ନେଇ ଫୋନ୍ ଆସିଥିଲା। ଏହାପରେ ତୁରନ୍ତ ଅଗ୍ନିଶମ ଗାଡ଼ି ସହ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା। ଅଧିକାରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ମଧ୍ୟ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଘଟଣାସ୍ଥଳରୁ ଆସିଥିବା ଚିତ୍ରରେ ବହୁ ସଂଖ୍ୟାରେ ଲୋକ ଧ୍ୱଂସାବଶେଷ ନିକଟରେ ଏକାଠି ହୋଇଥିବା ଦେଖାଯାଇଛି। କିଛି ଲୋକ ନିଜେ ହାତରେ ବଡ଼ ବଡ଼ ଅବଶେଷ ହଟାଇ ଭିତରକୁ ଯିବା ପାଇଁ ରାସ୍ତା କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।
ଅନ୍ୟପଟେ, ଉଦ୍ଧାର କାର୍ଯ୍ୟକୁ ସୁଗମ କରିବା ପାଇଁ ଘଟଣାସ୍ଥଳ ଆଖପାଖ ଅଞ୍ଚଳକୁ ଏଡ଼ାଇବାକୁ ଦିଲ୍ଲୀ ଟ୍ରାଫିକ୍ ପୁଲିସ ଲୋକଙ୍କୁ ଅନୁରୋଧ କରିଛି। ସୀମାପୁରୀ ଗୋଲଚକ୍କର, ଡିଏଲଏଫ୍ ଭୋପୁରା ଓ ଏହାର ଆଖପାଖ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି।
ଟ୍ରାଫିକ୍ ପୁଲିସ କହିଛି ଯେ, ଘଟଣାସ୍ଥଳ ନିକଟରେ ଗାଡ଼ି ନ ରଖିବା, ଭିଡ଼ ନ କରିବା ଏବଂ ଟ୍ରାଫିକ୍ କର୍ମଚାରୀଙ୍କ ନିର୍ଦ୍ଦେଶ ପାଳନ କରିବା ଜରୁରୀ। ଏହାଦ୍ୱାରା ଆମ୍ବୁଲାନ୍ସ ଓ ଉଦ୍ଧାରକାରୀ ଗାଡ଼ିଗୁଡ଼ିକ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିପାରିବେ।
ଉଲ୍ଲେଖଯୋଗ୍ୟ, ଗତ ମାସରେ ଦିଲ୍ଲୀର ସତ୍ୟ ନିକେତନରେ ଘଟିଥିବା ଏକ ହଷ୍ଟେଲ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ। ଏହାର ମାସକ ପରେ ପୁଣି ଦିଲ୍ଲୀରେ ଏଭଳି କୋଠା ଭୁଶୁଡ଼ିବା ଘଟଣା ଚିନ୍ତା ବଢ଼ାଇଛି।
ତେବେ ସୀମାପୁରୀ ଘଟଣାରେ ଏପର୍ଯ୍ୟନ୍ତ କେତେ ଜଣ ଫସିଛନ୍ତି କିମ୍ବା କେତେ ଜଣ ଆହତ ହୋଇଛନ୍ତି, ସେନେଇ ଅଧିକାରିକ ଭାବେ ସ୍ପଷ୍ଟ ସୂଚନା ମିଳିନାହିଁ। ଉଦ୍ଧାର ଅଭିଯାନ ଶେଷ ହେବା ପରେ ଘଟଣାର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ।