ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ନବନିଯୁକ୍ତ ତିନି ଜଣ ବିଚାରପତି ସୁନୀତା ଅଗ୍ରୱାଲ, ଦେବେନ୍ଦ୍ର କୁମାର ଉପାଧ୍ୟୟ ଏବଂ ଅପାରେଶ କୁମାର ସିଂହ ଶପଥ ଗ୍ରହଣ କରିଛନ୍ତି । ପ୍ରଧାନ ବିଚାରପତି ସୂର୍ୟ୍ୟକାନ୍ତ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହାକୁ ମିଶାଇ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଖ୍ୟା ୩୭କୁ ବୃଦ୍ଧି ପାଇଥିବାବେଳେ ମାତ୍ର ୩ ଜଣ ମହିଳା ରହିଛନ୍ତି ।
ବିଚାରପତି ସୁନୀତା ଅଗ୍ରୱାଲ ଗୁଜରାଟ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି । ସେହିପରି ଦେବେନ୍ଦ୍ର କୁମାର ଉପାଧ୍ୟୟ ଦିଲ୍ଲୀ ହାଇକୋର୍ଟ ଏବଂ ଅପାରେଶ କୁମାର ସିଂହ ତେଲେଙ୍ଗାନା ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ତୁଲାଇଛନ୍ତି । ଶପଥ ଗ୍ରହଣ ସମାରୋହରେ ସୁପ୍ରିମକୋର୍ଟର ବିଚାରପତି, ଆଟର୍ଣ୍ଣି ଜେନେରାଲ୍ ଆର୍. ଭେଙ୍କଟରମଣି, ସଲିସିଟର ଜେନେରାଲ୍ ତୁଷାର ମେହେଟା ଏବଂ ଅନ୍ୟାନ୍ୟ ବରିଷ୍ଠ ଓକିଲମାନେ ଉପସ୍ଥିତ ଥିଲେ।
ସୁପ୍ରିମକୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟା ଅତି ନଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ତିନିଜଣ ନୂତନ ବିଚାରପତିଙ୍କ ନିଯୁକ୍ତି ସହିତ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବେଳେ ଯେଉଁଥିରେ ମହିଳା ବିଚାରପତିଙ୍କ ସଂଖ୍ୟା ମାତ୍ର ତିନି ଅଟେ । ଜଷ୍ଟିସ୍ ସୁନିତା ଅଗ୍ରୱାଲ ହେଉଛନ୍ତି ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିବା ୧୩ତମ ମହିଳା ବିଚାରପତି । ସୁନିତା ଅଗ୍ରୱାଲଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ବିଚାରପତି ହେଲେ ଜଷ୍ଟିସ୍ ବି.ଭି. ନାଗରତ୍ନ ଓ ଜଷ୍ଟିସ୍ ବି. ମୋହନା। ଜଷ୍ଟିସ୍ ବି.ଭି. ନାଗରତ୍ନ ଆସନ୍ତା ବର୍ଷ ସେପ୍ଟେମ୍ବର ୨୪ ତାରିଖରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି (CJI) ହେବାକୁ ଯାଉଛନ୍ତି ।
ବିଚାରପତି ଏନ୍.ଭି. ରମଣାଙ୍କ କାର୍ଯ୍ୟକାଳ ମଧ୍ୟରେ ସୁପ୍ରିମକୋର୍ଟରେ ଏକାସାଙ୍ଗରେ ରେକର୍ଡ ସଂଖ୍ୟକ ଚାରିଜଣ ମହିଳା ବିଚାରପତି କାର୍ଯ୍ୟରତ ଥିଲେ । ବିଚାରପତି ଇନ୍ଦିରା ବାନାର୍ଜୀ, ନାଗରତ୍ନ, ହିମା କୋହଲି ଏବଂ ବେଲା ଏମ୍. ତ୍ରିବେଦୀ।
ଏହି ବିଚାରପତିମାନଙ୍କ ମଧ୍ୟରୁ ଶେଷ ତିନିଜଣ ୨୦୨୧ ମସିହା ଅଗଷ୍ଟ ୩୧ ତାରିଖରେ ଶପଥ ଗ୍ରହଣ କରିଥିଲେ। ଯଦିଓ ଜଷ୍ଟିସ୍ ରମଣାଙ୍କ ନେତୃତ୍ୱାଧୀନ କଲେଜିୟମ୍ ତିନିଜଣ ମହିଳା ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶ କରିଥିଲା, ତଥାପି ସିଜେଆଇ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ବର୍ତ୍ତମାନର କଲେଜିୟମ୍ ବର୍ତ୍ତମାନ ସୁଦ୍ଧା ଦୁଇଜଣ ମହିଳା ବିଚାରପତିଙ୍କୁ ନିଯୁକ୍ତ କରିଛି।