ଡେରାଡୁନ: ମାତ୍ର ୩୦୦ ଟଙ୍କା ମଜୁରୀ ପାଇଁ ତିନୋଟି ମୁଣ୍ଡ ଗଡ଼ିଛି । ଦିନ ଦ୍ୱିପହରରେ ତିନି ଜଣଙ୍କୁ ହତ୍ୟା କରିଛି ଜଣେ ପାଣି ପାଇପ ମିସ୍ତ୍ରୀ । ଉତ୍ତରାଖଣ୍ଡ ଡେରାଡୁନରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ଜଣେ ଅବସରପ୍ରାପ୍ତ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ଅଧିକାରୀ ରମେଶ କପୁର (୮୦), ତାଙ୍କର ଅବସରପ୍ରାପ୍ତ ଅଧ୍ୟାପିକା ପତ୍ନୀ ରଜନୀ କପୁର (୭୫) ଏବଂ ପଡ଼ୋଶୀ ଘରର ଜଣେ ମହିଳା ସହାୟିକା ତିଳୟା ଦେବୀ ଓରଫ ଶୀଲା (୪୮) । ଅଭିଯୁକ୍ତ ସ୍କ୍ରୁ ଡ୍ରାଇଭରରେ ସମସ୍ତଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ରାଜକୁମାରକୁ ପୋଲିସ ଗିରଫ କରିଛି । ସେ ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲା ଅନ୍ତର୍ଗତ କିରାତପୁର ଥାନା ଅଞ୍ଚଳର ବାନ୍ଦା ଗ୍ରାମର ମୂଳ ବାସିନ୍ଦା ଅଟେ ।
ମଙ୍ଗଳବାର ରାୟପୁରର ବିଷ୍ଣୁ ଲୋକ କଲୋନୀର ବାସିନ୍ଦା ରମେଶ କପୁର 'ଅର୍ଡିନାନ୍ସ ଫ୍ୟାକ୍ଟ୍ରି'ରୁ ଅବସର ନେଇଥିବା ବେଳେ ରଜନୀ କପୁର 'ଅର୍ଡିନାନ୍ସ ଫ୍ୟାକ୍ଟ୍ରି ଇଣ୍ଟର କଲେଜ'ରୁ ଅଧ୍ୟାପିକା ଭାବେ ଅବସର ନେଇଥିଲେ। ରମେଶ ପ୍ରାୟ ଦୁଇ ବର୍ଷ ହେବ ସେମାନଙ୍କ ଘରେ ପ୍ଲମ୍ବିଂ କାମ କରିଆସୁଥିଲା । ଗତକାଲି ରମେଶ ଘରର ପାଣି ପାଇପ କାମ କରିବାକୁ ରାଜକୁମାରକୁ ଡାକିଥିଲେ । କାମ ଶେଷ ହେବା ପରେ ସେ ୬୦୦ ଟଙ୍କା ମଜୁରୀ ନେବ ବୋଲି ଦାବି କରିଥିଲା । କିନ୍ତୁ ରମେଶ ତାକୁ 300 ଟଙ୍କା ଦେବାକୁ କହିଥିଲେ । ଏହାକୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।
ଏକ ଯୁକ୍ତିତର୍କ ପରେ ଅଭିଯୁକ୍ତ ପ୍ରଥମେ ଘରୁ ଚାଲିଯାଇଥିଲା କିନ୍ତୁ ଅଳ୍ପ ସମୟ ପରେ ଫେରି ଆସିଥିଲା । ଏହା ପରେ ବୃଦ୍ଧା ରଜନୀ କପୁରଙ୍କ ବେକରୁ ଚେନ୍ ଝାମ୍ପି ନେଇଥିଲା । ତା’ପରେ ସେହି ଦମ୍ପତିଙ୍କ ଉପରେ ଆକ୍ରମଣ କରିଥିଲା। ଚିତ୍କାର ଶୁଣି ହସ୍ତକ୍ଷେପ କରିବାକୁ ଦୌଡ଼ି ଆସିଥିବା ପଡ଼ୋଶୀ ଘରର ମହିଳା ସହାୟିକାଙ୍କୁ ମଧ୍ୟ ସେ ଛାଡ଼ି ନଥିଲା। ଚୋରି ହୋଇଥିବା ଚେନ୍ ଧରି ପଳାଉଥିବା ସମୟରେ ପଡ଼ୋଶୀମାନେ ଅଭିଯୁକ୍ତକୁ କାବୁ କରି ପୋଲିସ ଜିମା ଦେଇଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଦମ୍ପତି ଏବଂ ସହାୟିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚିଛି । ସମସ୍ତ ମୃତ ଦେହ ଜବତ କରାଯାଇଥିବାବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ରାଜକୁମାରକୁ ଗିରଫ କରାଯାଇଥିବା ଏସ୍ଏସ୍ପି ପ୍ରମେନ୍ଦ୍ର ସିଂହ ଡୋବାଲ ସୂଚନା ଦେଇଛନ୍ତି ।