ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ତିନି ଜଣ ଖେଳାଳିଙ୍କ ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ କାର୍ ଟ୍ରକକୁ ପଛପଟୁ ଧକ୍କା ଦେବାରୁ ୩ ଜଣ ଯୁବ ଟେନିସ୍ ଖେଳାଳିଙ୍କ ମୃତ୍ୟୁ ହୋଇଛି । କାରରେ ଥିବା ଅନ୍ୟ ୩ ଜଣ ଖେଳାଳିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ବୁଧଭାର ଭୋର ପ୍ରାୟ ୫ଟା ସମୟରେ ଏକ୍ସପ୍ରେସ ୱେରେ ୬ ଜଣ ଟେନିସ୍ ଖେଳାଳି ଲକ୍ଷ୍ନୌରୁ ଏକ ଟୁର୍ଣ୍ଣାମେଣ୍ଟ ସାରି ଦେଓରିଆ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଖେଳାଳିଙ୍କୁ ନେି ଯାଉଥିବା କାରଟି ଅଧିକ ବେଗ ଯୋଗୁଁ ନିୟନ୍ତ୍ରଣ ହରାଇଥିଲା ଏବଂ ସମ୍ନାରେ ଯାଉଥିବା ଏକ ଟ୍ରକକୁ ଶକ୍ତ ଦେଇଥିଲା । ଫଳରେ ସମସ୍ତ ୬ ଜଣ ଖେଳାଳି କାର୍ ଭିତରେ ଚାପି ହୋଇଯାଇଥିଲେ । ପୋଲିସ ପହଁଚି ସେମାନଙ୍କୁ ଉଦ୍ଧାର କରିଥିଲା । ତିନି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ, ନିତ୍ୟା ପ୍ରଜାପତି (୨୨), ଇରଫାନ ଅନସାରୀ (୨୦) ଏବଂ ଅନିକେତ (୨୪) । ଗୁରୁତର ମାନେ ହେଲେ ଆନନ୍ଦ ଯାଦବ (୨୩), ରାଜୁ (୨୨) ଏବଂ ଜୟନ୍ତ ଶର୍ମା (୩୦) । ସେମାନେ ସମସ୍ତେ ଦେଉରିଆ ଜିଲ୍ଲାର ବାସିନ୍ଦା ବୋଲି ଗୁରୁତର ଜୟନ୍ତ କହିଛନ୍ତି ।
ଜୟନ୍ତ ଶର୍ମାଙ୍କ ବୟାନ ଅନୁସାରେ, ଦୁର୍ଘଟଣା ସମସ୍ତରେ ସେମାନେ ସମସ୍ତେ ଶୋଇ ପଡ଼ିଥିଲେ । ଯେତେବେଳେ ଭୟଙ୍କର ଶବ୍ଦ ହୋଇଥିଲା ସେମାନଙ୍କ ନିଦ ଭାଙ୍ଗିଥିଲା । ସେମାନେ ସମସ୍ତେ ଲକ୍ଷ୍ନୌରୁ ଖେଳି ଘରକୁ ଫେରୁଥିଲେ । ସମସ୍ତଙ୍କୁ କୁମାର ଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଯୋଧ୍ୟ ଦର୍ଶନ ନଗର ମେଡ଼ିକାଲ କଲେଜକୁ ପ୍ରାଥମିକ ଚିକିତ୍ସା ପରେ ସ୍ଥାନାନ୍ତର କରାଯାଇଛି ।
ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ କାରକୁ ଜବତ କରିଛି । ଉକ୍ତ ଟ୍ରକ୍ ଡାଇଭରକୁ ଧରିବାକୁ ଉଦ୍ୟମ ଜାରି ରହିଛି ।