କଟକ: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ସାମ୍ନାକୁ ଆସିଛି ନୂଆ ମୋଡ଼। ଗିରଫ ଆଶଙ୍କାରେ ଆଗୁଆ ଜାମିନ ପାଇଁ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା।
ସେପ୍ଟେମ୍ବର ୨୮ରେ ସୁପ୍ରିମକୋର୍ଟ ତାଙ୍କ ପକ୍ଷରୁ ଦାଖଲ ସ୍ୱତନ୍ତ୍ର ଅନୁମତି ଆବେଦନକୁ ଖାରଜ କରିଥିଲେ। ତେବେ ଅଗ୍ରିମ ଜାମିନ ପାଇଁ ଉପଯୁକ୍ତ ନ୍ୟାୟିକ ମଞ୍ଚରେ ଆବେଦନ କରିବାର ସ୍ୱାଧୀନତା ବିଦ୍ୟାଭାରତୀଙ୍କୁ ଦେଇଥିଲେ ସର୍ବୋଚ୍ଚ ଅଦାଲତ।
ଅକ୍ଟୋବର ୩୦ ଯାଏଁ ମିଳିଲା ସମୟ
ପୂର୍ବରୁ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତରେ ବ୍ୟକ୍ତିଗତ ହାଜିରାରୁ ଛାଡ଼ ପାଇଁ ବିଦ୍ୟାଭାରତୀ ଆବେଦନ କରିଥିଲେ। ୨୦୨୩ ଜୁନ୍ ୨୩ ଓ ୨୦୨୪ ମାର୍ଚ୍ଚ ୧୧ରେ ତାଙ୍କ ଆବେଦନ ଖାରଜ ହୋଇଥିଲା।
ପରେ ଏହାକୁ ନେଇ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତଳକୋର୍ଟର ନିଷ୍ପତ୍ତିକୁ ହାଇକୋର୍ଟ ମଧ୍ୟ ବଜାୟ ରଖିଥିଲେ ଏବଂ ଅକ୍ଟୋବର ୧ ସୁଦ୍ଧା ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ତାଙ୍କୁ ଅକ୍ଟୋବର ୩୦ ସୁଦ୍ଧା ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତରେ ହାଜର ହେବାକୁ ସମୟ ମିଳିଛି।
୨୦୨୧ରୁ ଚାଲିଛି ମାମଲା
୨୦୨୧ ଜୁଲାଇରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ଗୁରୁତର ଅଗ୍ନିଦଗ୍ଧ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ ପରିବାର ପକ୍ଷରୁ ଷଡ଼ଯନ୍ତ୍ରର ଅଭିଯୋଗ ଉଠିଥିଲା।
ମାମଲାରେ ବିଦ୍ୟାଭାରତୀଙ୍କ ସହ ପୂର୍ବତନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ଘରୋଇ ସହାୟକ ମନ୍ମଥ କୁମ୍ଭଙ୍କ ନାମ ମଧ୍ୟ ଆସିଥିଲା। ତଳକୋର୍ଟ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ଗୁରୁତର ଦଫାରେ ମାମଲାକୁ ଗ୍ରହଣ କରିଥିଲେ। ଏବେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ ଉପରେ ହାଇକୋର୍ଟଙ୍କ ଶୁଣାଣିକୁ ନେଇ ନଜର ରହିଛି।