ନୂଆଦିଲ୍ଲୀ: ବିବାହ କରିବାକୁ ମନା କରିବା କିମ୍ବା ପ୍ରେମ ସମ୍ପର୍କ ଭାଙ୍ଗି ଯିବା ଘଟଣାକୁ ଆତ୍ମହତ୍ୟା ପାଇଁ ଉସକାଇବା ବୋଲି ବିବେଚନା କରାଯାଇ ପାରିବ ନାହିଁ । ଗୁରୁବାର ଏକ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ପାରସ୍ପରିକ ସହମତି ଭିତ୍ତିରେ ସମ୍ପର୍କ ରଖିବା ପରେ ଯଦି ଜଣେ ବିବାହ କରିବାକୁ ମନା କରନ୍ତି, ତେବେ କେବଳ ସେହି ମନା କରିବା ଘଟଣାକୁ ଆତ୍ମହତ୍ୟା ପାଇଁ ଉସୁକାଇବା ବୋଲି ଧରାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ଜଣେ ମହିଳାଙ୍କ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ଛଅ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିବା ଫୌଜଦାରୀ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଦେଇଛନ୍ତି।
ବିଚାରପତି ଜେ.ବି. ପାର୍ଦିୱାଲା ଏବଂ ବିଚାରପତି କେ. ବିନୋଦ ଚନ୍ଦ୍ରନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ତେଲେଙ୍ଗାନାର ମେଡଚାଲ-ମଲକାଜଗିରି ଜିଲ୍ଲାର ଏକ କୋର୍ଟରେ ବିଚାରାଧୀନ ଥିବା ମାମଲାର କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଅଭିଯୁକ୍ତମାନେ ଉକ୍ତ ମହିଳାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ କିମ୍ବା ଉସୁକାଇଥିଲେ, ତାହା ପ୍ରମାଣ କରିବା ପାଇଁ ରେକର୍ଡରେ କୌଣସି ତଥ୍ୟ ପ୍ରମାଣ ନାହିଁ ।
ଶୁଣାଣି ସମୟରେ କୋର୍ଟ ଲକ୍ଷ୍ୟ କରିଥିଲେ ଯେ ଆତ୍ମହତ୍ୟା କରିବା ପୂର୍ବରୁ ମୃତ ଯୁବତୀ ଜଣକ ନିଜ ବଡ଼ ଭଉଣୀଙ୍କୁ ଫୋନ୍ କରି କହିଥିଲେ ଯେ ତାଙ୍କ ପ୍ରେମିକ ତାଙ୍କୁ ବିବାହ କରିବାକୁ ମନା କରିଦେଇଛନ୍ତି। କିନ୍ତୁ ଏହା ଦ୍ୱାରା ଅଭିଯୁକ୍ତ ଯେ ତାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ, ତାହା ପ୍ରମାଣିତ ହୁଏ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । କୋର୍ଟ ମତ ଦେଇଥିଲେ ଯେ ଏହି ଘଟଣା ନା ଉଦ୍ଦେଶ୍ୟମୂଳକ ଥିଲା ନା ଏହାକୁ ଆତ୍ମହତ୍ୟା ପାଇଁ ଉସୁକାଇବା ବୋଲି କୁହାଯାଇପାରିବ। ସୁପ୍ରିମକୋର୍ଟ ଏକ ସମ୍ବେଦନଶୀଳ ମତ ରଖି କହିଥିଲେ ଯେ କୌଣସି ପରିସ୍ଥିତି ପ୍ରତି ପ୍ରତ୍ୟେକ ବ୍ୟକ୍ତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି । ଯଦି କୌଣସି ବ୍ୟକ୍ତି ସମ୍ପର୍କ ଭାଙ୍ଗିଯିବା ପରେ ଆତ୍ମହତ୍ୟା କରନ୍ତି, ତେବେ ଏହାକୁ ସର୍ବଦା 'ଆତ୍ମହତ୍ୟା ପାଇଁ ଉସୁକାଇବା' ବୋଲି କୁହାଯାଇପାରିବ ନାହିଁ।
ମୃତ ଯୁବତୀଙ୍କ ଭଉଣୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଭଉଣୀ ନିଜର କଥିତ ପ୍ରେମିକଙ୍କ ସହ ପ୍ରାୟ ତିନି ମାସ ଧରି 'ଲିଭ୍-ଇନ୍ ରିଲେସନ୍ସିପ୍' ରେ ଥିଲେ। ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ପାରସ୍ପରିକ ସହମତି ଭିତ୍ତିକ ଥିଲା। ପ୍ରେମିକଙ୍କ ଜଣେ ବନ୍ଧୁ ଉକ୍ତ ଯୁବତୀଙ୍କ ବିଷୟରେ କିଛିଟା ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଏବଂ ତାଙ୍କ ପରିବାର ଏହି ସମ୍ପର୍କକୁ ବିରୋଧ କରୁଥିଲେ। ଏହାରି ମଧ୍ୟରେ ଉକ୍ତ ପ୍ରେମିକ ଜଣକ ବିବାହ ପାଇଁ ମନା କରିଦେବାକୁ ତାଙ୍କ ଭଉଣୀ ଏହି ଚରମ ନିଷ୍ପତ୍ତି ନେଇଥିଲେ ।