ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଦେଶର ରାଜନୀତିରେ ଜାରି ରହିଥିବା ବିବାଦ ମଧ୍ୟରେ ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କ ବୟାନ ଚର୍ଚ୍ଚାକୁ ଆସିଛି। ନିର୍ବାଚନର ସ୍ୱଚ୍ଛତା, ସରକାରର ଉତ୍ତରଦାୟିତ୍ୱ ଓ ସମ୍ବିଧାନର ମର୍ଯ୍ୟାଦାକୁ ଗଣତନ୍ତ୍ରର ମୂଳ ଆଧାର ବୋଲି ସେ ମତ ଦେଇଛନ୍ତି। ଦିଲ୍ଲୀରେ ଆୟୋଜିତ ୨୧ତମ FICCI ହାଏର ଏଜୁକେସ ସମିଟ ଅବସରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଯୋଶୀ ଏହି ମତ ରଖିଥିଲେ। ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ SIRକୁ ନେଇ ବିରୋଧୀଙ୍କ ଅଭିଯୋଗ ସମ୍ପର୍କରେ ମଧ୍ୟ ତାଙ୍କୁ ପ୍ରଶ୍ନ କରାଯାଇଥିଲା।
ନିର୍ବାଚନର ସ୍ୱଚ୍ଛତା ଉପରେ ଜୋର
ଯୋଶୀ କହିଛନ୍ତି, ଏକ ଗଣତାନ୍ତ୍ରିକ ବ୍ୟବସ୍ଥାର ସଫଳତା ପାଇଁ ନିର୍ବାଚନ ନିରପେକ୍ଷ ହେବା, ସରକାର ଲୋକଙ୍କ ପ୍ରତି ଉତ୍ତରଦାୟୀ ରହିବା ଏବଂ ପ୍ରଶାସନ ସ୍ୱଚ୍ଛ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରର ସ୍ଥିରତା ଏହି ମୂଳ ନୀତିଗୁଡ଼ିକ ଉପରେ ନିର୍ଭର କରେ ବୋଲି ସେ ମତ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା କିମ୍ବା ଅନ୍ୟ କୌଣସି ପ୍ରସଙ୍ଗରେ ସମ୍ବିଧାନର ଉଲ୍ଲଂଘନ ହେଲେ ଏହାକୁ ନ୍ୟାୟିକ ଭାବେ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ଯୋଶୀ କହିଛନ୍ତି। ଏଭଳି ସ୍ଥିତିରେ ସୁପ୍ରିମକୋର୍ଟ ମାମଲାକୁ ଗୁରୁତ୍ୱର ସହ ଦେଖିବା ଉଚିତ ବୋଲି ତାଙ୍କ ମତ।
ସେ ଏହା ମଧ୍ୟ କହିଛନ୍ତି ଯେ ଗଣତନ୍ତ୍ରରେ ବିରୋଧୀ ଦଳର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ବିରୋଧୀଙ୍କ ପାଖରେ ବିକଳ୍ପ ନୀତି ଓ କାର୍ଯ୍ୟକ୍ରମ ଥିବା ସହ ତାହା ସମ୍ବିଧାନର ସୀମା ମଧ୍ୟରେ ରହିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି।ଭୋଟର ତାଲିକାର ବିଶେଷ ସଂଶୋଧନ ପ୍ରକ୍ରିୟା SIRକୁ ନେଇ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ପଡ଼ିବା ନେଇ ଅଭିଯୋଗ ଆସିଛି। ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳର ନେତାମାନେ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛନ୍ତି।
ଅନ୍ୟପଟେ, ନିର୍ବାଚନ କମିଶନ ଓ ବିଜେପି ପକ୍ଷରୁ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରାଯାଇଛି। ନିର୍ବାଚନୀ ତାଲିକାରୁ ଅଯୋଗ୍ୟ, ଡୁପ୍ଲିକେଟ୍ କିମ୍ବା ମୃତ ଭୋଟରଙ୍କ ନାମ ହଟାଇବା ଏବଂ ଯୋଗ୍ୟ ଭୋଟରଙ୍କ ତାଲିକା ସୁନିଶ୍ଚିତ କରିବା ହିଁ ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ବୋଲି ନିର୍ବାଚନ କମିଶନ କହିଛି।