ପାର୍ବଣରେ ରାଜ୍ୟରେ ପାଗରେ ପରିବର୍ତ୍ତନ। ସକ୍ରିୟ ଟ୍ରଫ୍ ଲାଇନ୍ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଏଥିସହ ବଜ୍ରପାତ ଓ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ଥିବାରୁ ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ପାଣିପାଗ ବିଭାଗର ସତର୍କତା ଅନୁସାରେ, ଉପକୂଳ, କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହି ତାଲିକାରେ ରହିଛି ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନୟାଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର।
ତେବେ ଏବେ ବଡ଼ ଧରଣର ବର୍ଷା ଆଶଙ୍କା ନଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ଝଟକା ପବନ ବହିପାରେ।ଏହାର ପ୍ରଭାବରେ ବାହାରେ ହେଉଥିବା ଉତ୍ସବ, ମେଳା ଓ ସାଧାରଣ ସମାବେଶ ପ୍ରଭାବିତ ହେବା ଆଶଙ୍କା ରହିଛି।
ରାଜଧାନୀ ଭୁବନେଶ୍ୱରରେ ଆକାଶ ମେଘୁଆ ରହିବା ସହ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ଏବଂ ସର୍ବନିମ୍ନ ୨୪ ଡିଗ୍ରୀ ସେଲସିୟସ୍ ପାଖାପାଖି ରହିବା ଆକଳନ କରାଯାଇଛି। ବଜ୍ରପାତ ସମୟରେ ଖୋଲା ସ୍ଥାନରେ ରହିବାରୁ ଦୂରେଇ ରହିବା ସହ ପବନରୁ ଅସ୍ଥାୟୀ ଟେଣ୍ଟ୍ ଓ ଅନ୍ୟାନ୍ୟ ସଂରଚନାକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି।