ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ପଦରୁ ଅବସର ନେବା ପରେ ବିଦାୟ ନେଇଛନ୍ତି ଡାକ୍ତର ହରିବାବୁ କମ୍ଭମପାଟି । ଆଜି କମ୍ଭମପାଟି ଓଡ଼ିଶାରୁ ବିଦାୟ ନେଇ ଫେରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଁଚି ବିଦାୟୀ ରାଜ୍ୟପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ବିକାଶ ପାଇଁ ତାଙ୍କର ମାର୍ଗଦର୍ଶନ ସର୍ବଦା ଅବିସ୍ମରଣୀୟ ହୋଇ ରହିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କମ୍ଭମପାଟିଙ୍କ ନିରାମୟ ତଥା ମଙ୍ଗଳମୟ ଜୀବନ କାମନା କରିଛନ୍ତି ।
ଗତକାଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟୀଙ୍କୁ ଲୋକସେବା ଭବନ ପକ୍ଷରୁ ଏକ ଭାବବିହ୍ବଳପୂର୍ଣ୍ଣ ପରିବେଶରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଲୋକସେବା ଭବନର ନୂତନ ଅଭିଷେକ ହଲ୍ଠାରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳଙ୍କ ସହ ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଲୋକସେବା ଭବନର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟପାଳଙ୍କ କାର୍ଯ୍ୟକାଳକୁ ମନେ ପକାଇ କୃତଜ୍ଞତା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ରାଜ୍ୟପାଳ ଡକ୍ଟର କମ୍ଭମପାଟୀ ନିଜର ପ୍ରାୟ ୧ ବର୍ଷ ୯ ମାସର କାର୍ଯ୍ୟକାଳ ମଧ୍ୟରେ ସମସ୍ତଙ୍କଠାରୁ ପାଇଥିବା ଅକୁଣ୍ଠ ସହଯୋଗ ଓ ସମନ୍ୱୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାରେ ବିତାଇଥିବା ପ୍ରତ୍ୟେକଟି ମୁହୂର୍ତ୍ତ ତାଙ୍କ ଜୀବନର ଏକ ‘ଅଭୁଲା ସ୍ମୃତି’ ହୋଇ ରହିବ ଏବଂ ଏହା ତାଙ୍କ ହୃଦୟରେ ସଦାସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ସେ ଆବେଗଭରା କଣ୍ଠରେ ପ୍ରକାଶ କରିଛନ୍ତି।