ଢେଙ୍କାନାଳ : କୃଷକ ଉତ୍ପାଦକ ସଂଗଠନ (ଏଫ୍ପିଓ)ଗୁଡ଼ିକୁ ଏକ ସ୍ଥାୟୀ, ସ୍ୱାବଲମ୍ବୀ ଓ କୃଷକ-ମାଲିକାନା ଭିତ୍ତିକ କୃଷି ବ୍ୟବସାୟିକ ଉଦ୍ୟୋଗ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ କୃଷି ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ ପକ୍ଷରୁ ଅକ୍ଟୋବର ୧୫ ତାରିଖରେ କଙ୍କଡ଼ାହାଡ଼ ବ୍ଲକ୍ରେ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। “ସ୍ଥାୟୀ କୃଷକ-ମାଲିକାନାଭିତ୍ତିକ କୃଷି ବ୍ୟବସାୟିକ ଉଦ୍ୟୋଗ ଭାବେ ଏଫ୍ପିଓଗୁଡ଼ିକର ସୁଦୃଢ଼ୀକରଣ: ବଜାର ସଂଯୋଗ, ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ଓ ବ୍ୟବସାୟ ଯୋଜନା” ଶୀର୍ଷକ ଏହି ତାଲିମ କାର୍ଯ୍ୟକ୍ରମରେ କଙ୍କଡ଼ାହାଡ଼ ବ୍ଲକ୍ର ୪ଟି ଏଫ୍ପିଓର ୨୫ ଜଣ ନିର୍ଦ୍ଦେଶକ ମଣ୍ଡଳୀ ସଦସ୍ୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଓ ଅନ୍ୟ ସଦସ୍ୟମାନେ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ କେଭିକେ, ଢେଙ୍କାନାଳର କୃଷି ସମ୍ପ୍ରସାରଣ ବିଜ୍ଞାନୀ ଡ. ରୋଜାଲିନ ମହାନ୍ତ ତାଲିମ ପ୍ରଦାନ କରିଥିଲେ। ସେ ଏଫ୍ପିଓଗୁଡ଼ିକର ବ୍ୟବସାୟିକ ଦକ୍ଷତା ବୃଦ୍ଧି, ସାମୂହିକ ବିପଣନ ବ୍ୟବସ୍ଥାର ବିକାଶ, କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପ୍ରାପ୍ତି ଓ କୃଷକଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ।
ଏଫ୍ପିଓଗୁଡ଼ିକ କିପରି ଉତ୍ପାଦ ସଂଗ୍ରହ, ବର୍ଗୀକରଣ, ମାନ ନିର୍ଦ୍ଧାରଣ, ପ୍ୟାକେଜିଂ ଓ ବଜାର ସଂଯୋଗ ମାଧ୍ୟମରେ ନିଜର ବ୍ୟବସାୟକୁ ଅଧିକ ଲାଭଜନକ କରିପାରିବେ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ କୃଷିଜାତ ଦ୍ରବ୍ୟର ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି, ବଜାର ଚାହିଦା ଚିହ୍ନଟ, ଆୟ-ବ୍ୟୟ ଆକଳନ, ଆର୍ଥିକ ପରିଚାଳନା ଓ ବାସ୍ତବଭିତ୍ତିକ ବ୍ୟବସାୟ ଯୋଜନା ପ୍ରସ୍ତୁତି ଉପରେ ପ୍ରଶିକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ ଦିଆଯାଇଥିଲା।
ଏଫ୍ପିଓଗୁଡ଼ିକ ସାମୂହିକ ଭାବେ କୃଷି ଉପକରଣ ଓ କୃଷି ସାମଗ୍ରୀ କ୍ରୟ କରିବା ସହ ଉତ୍ପାଦ ସଂଗ୍ରହ ଓ ବୃହତ୍ ପରିମାଣରେ ବିକ୍ରୟ ମାଧ୍ୟମରେ ବଜାରରେ ନିଜର ସ୍ଥିତି ସୁଦୃଢ଼ କରିପାରିବେ। ଏହାଦ୍ୱାରା ମଧ୍ୟସ୍ଥିଙ୍କ ଉପରେ ନିର୍ଭରଶୀଳତା କମିବା ସହ କୃଷକମାନେ ଉତ୍ପାଦର ଉଚିତ୍ ମୂଲ୍ୟ ପାଇବାର ସୁଯୋଗ ପାଇପାରିବେ ବୋଲି ଡ. ମହାନ୍ତ ମତ ପ୍ରକାଶ କରିଥିଲେ।
ଏଫ୍ପିଓର ସଫଳ ପରିଚାଳନା ପାଇଁ ସ୍ୱଚ୍ଛ ଆର୍ଥିକ ବ୍ୟବସ୍ଥା, ନିୟମିତ ବୈଠକ, ସଦସ୍ୟମାନଙ୍କ ସକ୍ରିୟ ଅଂଶଗ୍ରହଣ ଓ ସାମୂହିକ ନିଷ୍ପତ୍ତି ଗ୍ରହଣର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। କୃଷକମାନଙ୍କ ସାମୂହିକ ଶକ୍ତିକୁ ଏକ ସଫଳ ଓ ଦୀର୍ଘସ୍ଥାୟୀ କୃଷି ବ୍ୟବସାୟିକ ଉଦ୍ୟୋଗରେ ପରିଣତ କରିବା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ଏହି ତାଲିମ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।