ଭୁବନେଶ୍ୱର: ଦୁର୍ଗାପୂଜାର ଉତ୍ସାହ ଭିତରେ ରାଜଧାନୀରେ ବର୍ଷା ବାଧକ ସାଜିଛି। ମହଷଷ୍ଠୀ ଦିନ ଦ୍ୱିପହରରେ ହଠାତ୍ ପ୍ରବଳ ବର୍ଷା ହେବାରୁ ଭୁବନେଶ୍ୱରରେ ଜନଜୀବନ ପ୍ରଭାବିତ ହୋଇଛି। ରାସ୍ତାରେ ଗାଡ଼ି ଚଳାଚଳ ଧୀର ହୋଇଥିବା ବେଳେ ବିଭିନ୍ନ ଛକରେ ଟ୍ରାଫିକ୍ ଜାମ୍ ସମସ୍ୟା ଦେଖାଦେଇଛି। ବିଶେଷକରି ରସୁଲଗଡ଼ ଛକରେ ଦୀର୍ଘ ସମୟ ଧରି ଲୋକେ ଅଟକି ରହିଥିବା ଦେଖିବାକୁ ମିଳିଛି।
ମହଷଷ୍ଠୀରୁ ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି। ପୂଜାମଣ୍ଡପ ସାଙ୍ଗକୁ ବଜାରରେ ମଧ୍ୟ ଲୋକଙ୍କ ଯାତାୟାତ ବଢ଼ିଛି। ଏଭଳି ସମୟରେ ହଠାତ୍ ବର୍ଷା ହେବାରୁ ପୂଜା ବୁଲିବାକୁ ବାହାରିଥିବା ଲୋକେ ଅସୁବିଧାରେ ପଡ଼ିଛନ୍ତି। ଅନେକ ଲୋକ ବର୍ଷାରୁ ରକ୍ଷା ପାଇବା ପାଇଁ ରାସ୍ତାକଡ଼ରେ ଆଶ୍ରୟ ନେଇଛନ୍ତି।
ବର୍ଷା ଯୋଗୁଁ କିଛି ଅଞ୍ଚଳରେ ରାସ୍ତାରେ ପାଣି ଜମିବାରୁ ଯାତାୟାତ ଆହୁରି ପ୍ରଭାବିତ ହୋଇଛି। ଏହାକୁ ନେଇ ପୂଜା ଆୟୋଜକ, ବ୍ୟବସାୟୀ ଓ ଶ୍ରଦ୍ଧାଳୁଙ୍କ ଚିନ୍ତା ବଢ଼ିଛି।
ଅନ୍ୟପଟେ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରାଜ୍ୟର ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରିଛି। ଏଥିରେ କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମ ଭଳି ଜିଲ୍ଲା ରହିଛି। ତେଣୁ ପୂଜା ବୁଲିବାକୁ ଯୋଜନା କରୁଥିବା ଲୋକଙ୍କୁ ପାଗ ଉପରେ ନଜର ରଖିବା ସହ ସତର୍କତାର ସହ ଯାତାୟାତ କରିବାକୁ ପରାମର୍ଶ ଦିଆଯାଇଛି।