ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ହିଟ୍ ଆଣ୍ଡ୍ ରନ୍ ଘଟଣା। ରାସ୍ତା ପାର୍ ହେଉଥିବା ବେଳେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଏକ ଦ୍ରୁତଗାମୀ କଳା ରଙ୍ଗର SUV ଧକ୍କା ଦେଇଛି। ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିବା ବେଳେ ଧକ୍କା ଦେଇ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ଆହତ ବ୍ୟକ୍ତିଙ୍କ ନାମ ବିଭୂତି ଭୂଷଣ ଚଇନି। ସେ ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳର ବାସିନ୍ଦା। ରିପୋର୍ଟ ଅନୁସାରେ, ଶୁକ୍ରବାର ସେ ମିଠା କିଣିବା ପରେ ରାସ୍ତା ପାର୍ ହେଉଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା କଳା SUVଟି ତାଙ୍କୁ ଧକ୍କା ଦେଇଥିଲା।
ଦୁର୍ଘଟଣା ପରେ ଆହତ ବିଭୂତିଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ରହିଛି।
ଘଟଣାକୁ ନେଇ ନୟାପଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ଏହାର ଚାଳକଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରୁଛି। ଫେରାର ଗାଡ଼ିକୁ ଠାବ କରିବା ପାଇଁ ତଦନ୍ତ ଜାରି ରହିଛି।