ଗୁଣପୁର: ଗୁଡାରି ଅଞ୍ଚଳର ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ଅବସରପ୍ରାପ୍ତ ଶିକ୍ଷକ ଦିବ୍ୟସିଂହ ମିଶ୍ରଙ୍କ ପରଲୋକ ହୋଇଛି। ଗତକାଲି ରାତି ପ୍ରାୟ ୧୧ଟାରେ ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ୯୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ଗୁଡାରି ଅଞ୍ଚଳ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ସ୍ୱର୍ଗତ ମିଶ୍ର ସ୍ଥାନୀୟ ‘ଦିବ୍ୟ ଜୀବନ ସଂଘ’ ଶାଖାର ପ୍ରତିଷ୍ଠାତା ଥିଲେ। ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ସେ ଲୋକଙ୍କ ମଧ୍ୟରେ ଭକ୍ତିଭାବ, ମାନବିକତା ଓ ଆଧ୍ୟାତ୍ମିକ ଚେତନାର ପ୍ରସାର କରୁଥିଲେ। ଗ୍ରାମଦେବୀ ଠାକୁରାଣୀ ମନ୍ଦିର ନିକଟରେ ତାଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଦିବ୍ୟ ଜୀବନ ସଂଘ ଶାଖା ଅଞ୍ଚଳର ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ପରିଚିତ।
ତାଙ୍କ ମରଶରୀରକୁ ବ୍ରହ୍ମପୁରରୁ ଆମ୍ବୁଲାନ୍ସ ଯୋଗେ ଗୁଡାରି ଅଣାଯାଇଥିଲା। ପରେ ବଂଶଧାରା ନଦୀ ତଟରେ ଏକ ଶୋଭାଯାତ୍ରାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶ୍ରଦ୍ଧାଳୁ ଯୋଗଦେଇ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ। ଏହି ସମୟରେ ତାଙ୍କ ଜ୍ୟେଷ୍ଠ ପୁତ୍ର ଗୌରୀ ଶଙ୍କର ମିଶ୍ର ଉପସ୍ଥିତ ଥିଲେ।
ଦିବ୍ୟସିଂହ ମିଶ୍ରଙ୍କ ବିୟୋଗରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ଓଡ଼ିଶା ଶାଖା ସଭାପତି ସୁବ୍ରତ ନନ୍ଦ, ସାଧାରଣ ସମ୍ପାଦକ ଶ୍ୟାମ ସୁନ୍ଦର ପଣ୍ଡା, ସଂଯୋଜକ ସୁବାସ ପଣ୍ଡା ଓ ଜିଲ୍ଲା ସଂଯୋଜକ ରାଧାକୃଷ୍ଣ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେମାନେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।