ଭୁବନେଶ୍ୱର: ବାଦବିବାଦ ଏବଂ ଉତ୍ତେଜନା ମଧ୍ୟରେ ସାରା ରାଜ୍ୟରେ ଶେଷ ହୋଇଛି ଛାତ୍ର ସଂସଦ ନିର୍ବାଚନ। ସନ୍ଧ୍ୟା ସୁଦ୍ଧା ଅଧିକାଂଶ ସ୍ଥାନରେ ଫଳାଫଳ ଘୋଷଣା ସରିଥିଲେ ବି ରାଜଧାନୀର ଦୁଇ ହାଇପ୍ରୋଫାଇଲ୍ ଶିକ୍ଷାନୁଷ୍ଠାନ—ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ନିର୍ବାଚନ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଭୋଟ ଗଣତିରେ ବିଳମ୍ବ, ରାଜପଥ ଅବରୋଧ, ହାତାହାତି ଏବଂ ଭଙ୍ଗାରୁଜା ଭଳି ଘଟଣା ଯୋଗୁଁ କ୍ୟାମ୍ପସ ପରିବେଶ ଅଶାନ୍ତ ହୋଇପଡ଼ିଥିଲା।
ରମାଦେବୀରେ ଲଢ଼େଇ ଆରୋପ-ପ୍ରତ୍ୟାରୋପ; ଭଙ୍ଗାରୁଜା ଓ ଗଣ୍ଡଗୋଳ
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସୁଦ୍ଧା ଏହା ସିଧାସଳଖ ଶାସକ ଓ ବିରୋଧୀ ଦଳର ପ୍ରତିପତ୍ତି ଲଢ଼େଇରେ ପରିଣତ ହୋଇଥିଲା। ବିଜୁ ଛାତ୍ର ଜନତା ଦଳ (BCJD) ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ସମର୍ଥିତ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ହୋଇଥିବା ଛକାପଞ୍ଝା ଯୋଗୁଁ ପରିସ୍ଥିତି ଅଣାୟତ୍ତ ହୋଇଥିଲା।
ଫଳାଫଳକୁ ନେଇ ଗୁଜବ: ସନ୍ଧ୍ୟାରେ ବିସିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ଖବର ପ୍ରଚାର ହେବା ପରେ କର୍ମୀମାନେ ବିଜୟ ଉତ୍ସବ ମନାଇଥିଲେ। ମାତ୍ର ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିବା ଜଣାପଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସରକାରୀ ଚାପ ଅଭିଯୋଗ: ବିଜେଡି ସମର୍ଥକଙ୍କ ଅଭିଯୋଗ ଅନୁଯାୟୀ, ସରକାରଙ୍କ ଚାପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ଉଦ୍ୟମ କରୁଛନ୍ତି।
ହିଂସା ଓ ପୁଲିସ ଛାଉଣି: ଦୁଇ ଦଳର ଛାତ୍ରୀଙ୍କ ମଧ୍ୟରେ ନାରାବାଜି ଓ ହାତାହାତି ହୋଇଥିଲା। ଏହି ସମୟରେ ବିଜେଡି ସମର୍ଥକଙ୍କ ଗାଡ଼ି ଭଙ୍ଗାରୁଜା ହେବା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।
ମଧ୍ୟରାତ୍ରିରେ କ୍ୟାମ୍ପସରେ ପହଞ୍ଚିଲେ ବିଜେଡି ନେତା
ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ଭୋଟ ଗଣତି ନସରିବାରୁ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ଏବଂ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କ ସହ ଧାରଣାରେ ସାମିଲ ହୋଇଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟ: ଗଣତି ବିଳମ୍ବକୁ ନେଇ ଜାତୀୟ ରାଜପଥ ଅବରୋଧ
ଅନ୍ୟପଟେ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଭାବେ ୨,୬୦୯ ଜଣ ଛାତ୍ରଛାତ୍ରୀ ମତାଧିକାର ସାବ୍ୟସ୍ତ କରିଥିଲେ ସୁଦ୍ଧା ଭୋଟ ଗଣତିରେ ଅହେତୁକ ବିଳମ୍ବ ହୋଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ଗଣତି ନସରିବାରୁ ଛାତ୍ର କଂଗ୍ରେସ ଏବଂ AISFର ସମର୍ଥକମାନେ କୋପରନିକସ୍ ମାର୍ଗ ସମ୍ମୁଖ ଜାତୀୟ ରାଜପଥ ଅବରୋଧ କରିଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି ହେବା ପରେ ପୁଲିସ ପହଞ୍ଚି ବୁଝାସୁଝା କରି ରାସ୍ତାରୋକ ହଟାଇଥିଲା।