ହିମାଚଳ ପ୍ରଦେଶରେ ଭୋର ସକାଳୁ ଅନୁଭୂତ ହୋଇଛି ଭୂମିକମ୍ପ। ସକାଳ ପ୍ରାୟ ୪ଟା ୩୬ ମିନିଟ୍ରେ ହଠାତ୍ କମ୍ପନ ଅନୁଭୂତ ହେବାରୁ ଭୟଭୀତ ହୋଇ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୧ ଥିବା ରେକର୍ଡ କରାଯାଇଛି। ତେବେ ଏହି ଘଟଣାରେ କୌଣସି ଜୀବନହାନି କିମ୍ବା ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ମିଳିନାହିଁ।
ଶିମଲା ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ:
ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS)ର ସୂଚନା ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଶିମଲାରେ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଥିଲା। କିଛି ସେକେଣ୍ଡ ପାଇଁ ଏହି କମ୍ପନ ଅନୁଭୂତ ହୋଇଥିଲା। ହଠାତ୍ ଘରଦ୍ୱାର ହଲିବାରୁ ସୋଇଥିବା ଲୋକେ ଭୟଭୀତ ହୋଇ ଖୋଲା ସ୍ଥାନକୁ ପଳାଇ ଆସିଥିଲେ। କମ୍ପନ ଥମିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।
୫ ଦିନ ମଧ୍ୟରେ ଦ୍ୱିତୀୟ ଭୂମିକମ୍ପ:
ଉଲ୍ଲେଖନୀୟ ଯେ, ମାତ୍ର ୫ ଦିନ ପୂର୍ବରୁ ହିମାଚଳ ପ୍ରଦେଶର ଚମ୍ବା ଅଞ୍ଚଳରେ ମଧ୍ୟ ଏକ କମ୍ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ସୋମବାର ଅପରାହ୍ନ ୪ଟା ୪୦ରେ ହୋଇଥିବା ସେହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୫ କିଲୋମିଟର ଗଭୀରତାରେ ଥିଲା।
କେତେ ବିପଦପୂର୍ଣ୍ଣ ଏହି ତୀବ୍ରତା? ସାଧାରଣତଃ ୨.୦ କିମ୍ବା ତା’ଠାରୁ କମ୍ ତୀବ୍ରତାର ଭୂମିକମ୍ପକୁ ମୃଦୁ ବୋଲି ଧରାଯାଏ, ଯାହା ପ୍ରାୟତଃ ଜଣାପଡ଼ିନଥାଏ। ମାତ୍ର ୪.୦ରୁ ୪.୫ କିମ୍ବା ତା’ଠାରୁ ଅଧିକ ତୀବ୍ରତାର କମ୍ପନ ହାଲୁକା ଭାବେ ଅନୁଭୂତ ହୁଏ ଏବଂ ଏହା ଦ୍ୱାରା କୋଠାଘର କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ।