ମୁୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍ଙ୍କ ପାଇଁ ଏକ ବଡ଼ ଆଇନଗତ ଅଡ଼ୁଆ ସୃଷ୍ଟି ହୋଇଛି। ମୁମ୍ବାଇସ୍ଥିତ ‘ଫୋରେନ୍ସ ରିଜିଓନାଲ୍ ରେଜିଷ୍ଟ୍ରେସନ୍ ଅଫିସ୍’ (FRRO) ପକ୍ଷରୁ ମିଳିଥିବା ‘ଭାରତ ଛାଡ଼ିବା ନୋଟିସ୍କୁ ଚ୍ୟାଲେଞ୍ଜ କରି ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା ଅକ୍ଟୋବର ୨୮ ତାରିଖ ସୁଦ୍ଧା ଦେଶ ଛାଡ଼ିବାକୁ ଦିଆଯାଇଥିବା ଏହି ନିର୍ଦ୍ଦେଶନାମା ଉପରେ ତୁରନ୍ତ ରୋକ୍ ଲଗାଇବା ସହ ଏହାକୁ ରଦ୍ଦ କରିବା ପାଇଁ ସେ କୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି।
ଇମ୍ରାନ୍ ଖାନ୍ ଆମେରିକୀୟ ନାଗରିକତ୍ୱ ରଖିଥିବା ବେଳେ ତାଙ୍କ ନିକଟରେ ‘ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ’ (OCI) କାର୍ଡ ରହିଛି। ଗତ ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନଠାରେ ଆୟୋଜିତ ଏକ ରାଜନୈତିକ ବିକ୍ଷୋଭ ପ୍ରଦର୍ଶନରେ ସେ ଅଂଶଗ୍ରହଣ କରିଥିଲେ। ଜଣେ ବିଦେଶୀ ନାଗରିକ ହୋଇ ଭାରତରେ କୌଣସି ରାଜନୈତିକ ଆନ୍ଦୋଳନରେ ଭାଗ ନେବା ଆଇନଗତ ନିୟମର ଉଲ୍ଲଂଘନ ବୋଲି ଦର୍ଶାଇ ପ୍ରଶାସନ ପକ୍ଷରୁ ତାଙ୍କୁ ୨୮ ଅକ୍ଟୋବର ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ନୋଟିସ୍ର ଅବମାନନା କଲେ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଇମ୍ରାନ୍ ଖାନ୍ ନିଜ ଆବେଦନରେ ଦର୍ଶାଇଛନ୍ତି ଯେ ପ୍ରଶାସନ ପକ୍ଷରୁ ମିଳିଥିବା ଏହି ନୋଟିସ୍ ସମ୍ପୂର୍ଣ୍ଣ ଗ୍ରହଣଯୋଗ୍ୟ ନୁହେଁ। ନୋଟିସ୍ ଦେବା ପୂର୍ବରୁ ତାଙ୍କୁ ନିଜ ସପକ୍ଷରେ ସଫାଇ ଦେବା କିମ୍ବା ପକ୍ଷ ରଖିବା ପାଇଁ କୌଣସି ସୁଯୋଗ ଦିଆଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
କେଉଁ ନିୟମ ଓ ପରିସ୍ଥିତି ଆଧାରରେ ଏହି ନିର୍ଦ୍ଦେଶ ଜାରି ହୋଇଛି, ସେ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ମାମଲାର ଜରୁରୀ ଶୁଣାଣି ପାଇଁ ତାଙ୍କ ଆଇନଜୀବୀ କୋର୍ଟଙ୍କୁ ନିବେଦନ କରିଥିବା ବେଳେ ଆସନ୍ତା ସପ୍ତାହରେ ବୋମ୍ବେ ହାଇକୋର୍ଟରେ ଏହାର ଶୁଣାଣି ହେବାର ସମ୍ଭାବନା ରହିଛି।