ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅକ୍ଟୋବର ୨୮ ଏବଂ ୨୯ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ନିଜର ଜନ୍ମମାଟି ରାଇରଙ୍ଗପୁର ଗସ୍ତ କରି ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହି ଗସ୍ତକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବିସ୍ତୃତ କାର୍ଯ୍ୟସୂଚୀ ଜାରି କରାଯାଇଛି।
ପ୍ରଶାସନିକ ପ୍ରସ୍ତୁତି ଓ ଚିଠି ଜାରି:
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ସଚିବାଳୟର ଉପ ସାମରିକ ସଚିବଙ୍କ ପକ୍ଷରୁ ଗତ ଅକ୍ଟୋବର ୧୩ରେ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଜାରି କରାଯାଇଛି। ଓଡ଼ିଶା ଏବଂ ପଶ୍ଚିମବଙ୍ଗର ମୁଖ୍ୟ ସଚିବ, ରାଜ୍ୟପାଳଙ୍କ ସଚିବ, ଡିଜିପି, ମୟୂରଭଞ୍ଜ ଓ ପଶ୍ଚିମ ମେଦିନୀପୁର ଜିଲ୍ଲାପାଳ ଏବଂ ଏସପିଙ୍କୁ ଏହି ଚିଠି ପଠାଯାଇଛି। ରାଷ୍ଟ୍ରପତିଙ୍କ କାରକେଡ୍ ଯିବାକୁଥିବା ୧୨ଟି ରୁଟର ସ୍ଥଳ ଦୂରତା, ସମୟ ଏବଂ ରାସ୍ତା ଅବସ୍ଥା ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି।
ଗସ୍ତର ସମୟସାରଣୀ (ଅକ୍ଟୋବର ୨୮ - ପ୍ରଥମ ଦିନ):
• ସକାଳ ୮.୦୦: ରାଷ୍ଟ୍ରପତି ଭବନରୁ ବାହାରି ପାଲମ୍ ବିମାନଘାଟି ଏବଂ ପରେ IAF BBJ ଯୋଗେ କଲାଇକୁଣ୍ଡା ଅଭିମୁଖେ ଯାତ୍ରା।
• ପୂର୍ବାହ୍ନ ୧୦.୧୫: କଲାଇକୁଣ୍ଡାରୁ Mi-17 ହେଲିକପ୍ଟରରେ ବାହାରି ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ରେ ଅବତରଣ।
• ୧୧.୧୫: ବହଳଦା ସ୍ଥିତ ମା’ କିଚକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ଏବଂ ପ୍ରସାଦ ଯୋଜନାରେ ସାମିଲ ହେବା।
• ଅପରାହ୍ନ ୨.୨୫: ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରି ପ୍ରତିରକ୍ଷା ମେଗା ସ୍ୱାସ୍ଥ୍ୟ ଶିବିରର ହିତାଧିକାରୀଙ୍କୁ ଭେଟିବେ।
• ଅପରାହ୍ନ ୩.୩୦ - ୪.୩୦: କଚେରୀ ପଡ଼ିଆରେ ସାର୍ବଜନୀନ କାର୍ଯ୍ୟକ୍ରମ। ଏହି ଅବସରରେ IIFM କ୍ୟାମ୍ପସ, କିଚକେଶ୍ୱରୀ ମନ୍ଦିର (ପ୍ରସାଦ ଯୋଜନା), ରାଇରଙ୍ଗପୁର ଓ ବାଦାମପାହାଡ଼ ଅମୃତ ଭାରତ ଷ୍ଟେସନର ଉଦ୍ଘାଟନ ସହ ସ୍ପୋର୍ଟସ କମ୍ପ୍ଲେକ୍ସ ହଷ୍ଟେଲ, ଗୋଶାଳା ଓ ଅସେକା ଭବନର ଶିଳାନ୍ୟାସ କରିବେ। ସନ୍ଧ୍ୟାରେ ମହୁଲଡିହାସ୍ଥ ବାସଭବନରେ ରାତ୍ରୀଯାପନ କରିବେ।
ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ (ଅକ୍ଟୋବର ୨୯):
• ସକାଳ ୯.୦୫: ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ପୂର୍ବତନ ସୈନିକ CSD କ୍ୟାଣ୍ଟିନ୍ ପରିଦର୍ଶନ।
• ୧୦.୪୦: ଗୋରୁମହିଷାଣୀସ୍ଥ ମଲ୍ଟି ସ୍କିଲ୍ ସେଣ୍ଟର ଓ ଆଇରନ କଲେଜ ପରିଦର୍ଶନ।
• ୧୧.୪୦: ମହତାବ ଭବନ (ଟାଉନ୍ ହଲ୍) ଠାରେ ସିକେଲ୍ ସେଲ୍ ରୋଗୀଙ୍କ ସହ ଆଲୋଚନା ଏବଂ ହିନ୍ଦୁଜା ହସ୍ପିଟାଲ୍ ନେଫ୍ରୋଲୋଜି ଅଭିଯାନର ଶୁଭାରମ୍ଭ।
• ଦ୍ୱିପ୍ରହର ୧.୦୦: ଦାଣ୍ଡବୋଷରୁ ହେଲିକପ୍ଟର ଯୋଗେ କଲାଇକୁଣ୍ଡା ଏବଂ ସେଠାରୁ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ।
ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସମଗ୍ର ରାଇରଙ୍ଗପୁର ଅଞ୍ଚଳରେ ପ୍ରବଳ ଉତ୍ସାହ ଦେଖାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।