ଭୋପାଳ: ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରୁ ଏକ ଅତ୍ୟନ୍ତ ମର୍ମନ୍ତୁଦ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ରବିବାର ଭୋର ସକାଳେ ଏକ ଓଭରଲୋଡ୍ ଟ୍ରକ୍ ରାସ୍ତାରେ ଯାଉଥିବା ନିରୀହ ଶ୍ରଦ୍ଧାଳୁଙ୍କ ଉପରକୁ ମାଡ଼ିଯିବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି କରୁଣ ଦୁର୍ଘଟଣାରେ ୧୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧:୩୦ ମିନିଟ୍ ସମୟରେ ଗ୍ୱାଲିୟରର ପ୍ରସିଦ୍ଧ ଶୀତଳା ମାତା ମନ୍ଦିରକୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ପାଦରେ ଚାଲିଚାଲି ଦର୍ଶନ ପାଇଁ ଯାଉଥିଲେ। ଠିକ୍ ସେହି ସମୟରେ ଛିନୋର ପଟୁ ଆସୁଥିବା ଧାନ ବୋଝେଇ ଏକ ଟ୍ରକ୍ ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲା। ଘଟଣାସ୍ଥଳରେ ଥିବା ପୋଲିସ ବ୍ୟାରିକେଡ୍ ଏବଂ ଚେକ୍ ପୋଷ୍ଟକୁ ଭାଙ୍ଗି ଟ୍ରକ୍ଟି ରାସ୍ତା କଡ଼ରେ ଥିବା ମନ୍ଦିରର ପ୍ରାଚୀର ଏବଂ ଗେଟ୍ ସହ ଧକ୍କା ହେବା ସହ ସେଠାରେ ଥିବା ଶ୍ରଦ୍ଧାଳୁଙ୍କୁ ମାଡ଼ିଚାଲିଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ ପ୍ରାୟ ୧୨ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ଚାରିଆଡ଼େ ହାହାକାର ପଡ଼ିଯାଇଥିଲା।
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ଜିଲ୍ଲାପାଳ ରୁଚିକା ଚୌହାନ ଏବଂ ଏସଏସପି ଧର୍ମବୀର ସିଂହଙ୍କ ସମେତ ବରିଷ୍ଠ ପ୍ରଶାସନିକ ଏବଂ ପୋଲିସ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଏହି ଦୁର୍ଘଟଣାରେ ଆହତ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ ୫ ରୁ ୬ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ଅନ୍ୟମାନଙ୍କୁ ସାମାନ୍ୟ ଆହତ ଅବସ୍ଥାରେ ଚିକିତ୍ସା ପ୍ରଦାନ କରାଯାଉଛି। ଏପରିକି ଡ୍ୟୁଟିରେ ଥିବା ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି।
Also Read: କୋଲକାତା ଦୁର୍ଗା ପୂଜା ମଣ୍ଡପରେ ଅଭାବନୀୟ ଘଟଣା: ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ, ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା