ନୂଆଦିଲ୍ଲୀ : ପୋଲିସ ହାଜତରୁ ମୁକୁଳିଛନ୍ତି କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ତଥା ମୁଖ୍ୟ ଅଭିଜିତ ଦୀପକେ । ନୂଆଦିଲ୍ଲୀର କନ୍ନଟ ପ୍ଲେସ୍ ଠାରେ ଆୟୋଜିତ CJP ର 'ଲହରା ଦୋ ତିରଙ୍ଗା' ରାଲି ପୂର୍ବରୁ ଦିଲ୍ଲୀ ପୋଲିସ ତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଅଟକ ରଖିବା ପରେ ଗିରଫ କରିଥିଲା । ଏହାପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି ।
ସୂଚନା ଥାଉକି ଦିଲ୍ଲୀର କନ୍ନଟ ପ୍ଲେସ୍ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୧୬୩ ଅନୁଯାୟୀ ସଭାସମିତି ଉପରେ କଟକଣା ଜାରି କରାଯାଇଥିଲା । ପୋଲିସର ନୋଟିସ ସତ୍ତ୍ୱେ ପ୍ରତିବାଦ ପ୍ରଦର୍ଶନ ପାଇଁ ବାହାରିବା ସମୟରେ ଅଭିଜିତ ଦୀପକେଙ୍କୁ ହେପାଜତକୁ ନିଆଯାଇଥିଲା ।
ଶନିବାର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ସ୍ପେଶାଲ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ (SEM) କୋର୍ଟରେ ହାଜର କରାଯାଇଥିଲା । ସିଜେପିର ଆଇନ ଦଳ କୋର୍ଟରେ ପୋଲିସର ଆଖିବୁଜା ଅଟକ ପ୍ରକ୍ରିୟାକୁ ବିରୋଧ କରିଥିଲେ । ଶେଷରେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି, ଯେଉଁଥିରେ ଆଗାମୀ ଦିନରେ ଶାନ୍ତି ବଜାୟ ରଖିବା ପାଇଁ ନିର୍ଦ୍ଦେଶ ରହିଛି ।