କୋଚି: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭାରେ ବିରୋଧୀ ଦଳ ନେତା ପିନାରାଇ ବିଜୟନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସିଏମଆରଏଲ୍ ଦୁର୍ନୀତି ଏବଂ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତାଙ୍କୁ ଜେରା ପାଇଁ ସମନ୍ ପଠାଇଛି। ଆସନ୍ତା ଅକ୍ଟୋବର ୨୩ ତାରିଖରେ କୋଚି ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
୮୧ ବର୍ଷୀୟ ପିନାରାଇ ବିଜୟନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡ୍ରିଂ ପ୍ରତିରୋଧ ଆଇନ୍ (PMLA) ଅଧିନରେ ଗ୍ରହଣ କରାଯାଇଛି। ରାଜ୍ୟ ପୋଲିସ ଦ୍ୱାରା ନିକଟରେ ରୁଜୁ ହୋଇଥିବା ଏଫ୍ଆଇଆର୍କୁ ଆଧାର କରି ଇଡି ଏହି ତଦନ୍ତ ଆରମ୍ଭ କରିଛି। ତେବେ ପିନାରାଇ ବିଜୟନ ଏବଂ ତାଙ୍କ ଦଳ ସିପିଏମ୍ ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି।
କ'ଣ ରହିଛି ସମ୍ପୂର୍ଣ୍ଣ ମାମଲା?
କେରଳ ଭିଜିଲାନ୍ସ ଆଣ୍ଡ ଆଣ୍ଟି-କରପସନ୍ ବ୍ୟୁରୋ (VACB) ଗତ ଅକ୍ଟୋବର ୧୨ ତାରିଖରେ ପିନାରାଇ ବିଜୟନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଦୁଇଟି ଏଫ୍ଆଇଆର୍ ରୁଜୁ କରିଥିଲା। ଏହି ତାଲିକାରେ ତାଙ୍କ ଝିଅ ବୀଣା ଟି. ଏବଂ ଜ୍ୱାଇଁ ତଥା ପୂର୍ବତନ ମନ୍ତ୍ରୀ ମହମ୍ମଦ ରିୟାସ୍ ମଧ୍ୟ ସାମିଲ ଅଛନ୍ତି। କୋଚିନ୍ ମିନଲ୍ସ ଆଣ୍ଡ ରୁଟାଇଲ୍ସ ଲିମିଟେଡ୍ (CMRL)ରୁ ବେଆଇନ ଭାବେ ଅର୍ଥ ନେଇଥିବା ଅଭିଯୋଗରେ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲା ରୁଜୁ ହୋଇଥିଲା।
ଇଡିର ଅନୁସନ୍ଧାନ ମୁତାବକ, CMRL କମ୍ପାନୀ ପିନାରାଇ ବିଜୟନଙ୍କ ଝିଅ ବୀଣାଙ୍କ ଏକ ବନ୍ଦ ହୋଇସାରିଥିବା କମ୍ପାନୀ ‘ଏକ୍ସାଲଜିକ୍ ସଲ୍ୟୁସନ୍ସ’କୁ ଆଇଟି ପରାମର୍ଶ ସେବା ବାହାନାରେ ପ୍ରାୟ ୨.୭୮ କୋଟି ଟଙ୍କାର ଅବୈଧ ପେମେଣ୍ଟ କରିଥିଲା। ଏହାବ୍ୟତୀତ ତଲାସୀ ସମୟରେ କିଛି ହାତଲେଖା ନୋଟ୍ ମିଳିଥିଲା, ଯେଉଁଥିରେ ଦୁବାଇକୁ ଟଙ୍କା ପଠାଯିବାର କାରବାର ସମ୍ପର୍କରେ ତଥ୍ୟ ରହିଥିଲା।