ନୂଆଦିଲ୍ଲୀ: କଂଗ୍ରେସ ଓ ଏହାର ରାଜନୈତିକ ସହଯୋଗୀ ଦଳମାନେ ଯୁବକମାନଙ୍କ ଶକ୍ତିକୁ ସକରାତ୍ମକ କାର୍ଯ୍ୟ ଓ ରାଷ୍ଟ୍ର ନିର୍ମାଣ ଦିଗରେ ଉପଯୋଗ କରିବା ପରିବର୍ତ୍ତେ ରାଜନୈତିକ ସଂଘର୍ଷ ଏବଂ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ବିଗତ କିଛି ଦିନ ହେବ ଯେଉଁ ଭଳି ଭାବରେ ବିରୋଧ ପ୍ରଦର୍ଶନ ହେଉଛି, ତାହାକୁ ନେଇ ଚିନ୍ତା ପ୍ରକଟ କରି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ଉତ୍ତର ପ୍ରଦେଶ ଗସ୍ତରେ ଥିବା ରାଜନାଥ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବପୀଢ଼ୀଙ୍କୁ ମୋହରା ବନାଇ କଂଗ୍ରେସ ଯେଉଁଭଳି ଭାବେ ପ୍ରଦର୍ଶନ କରୁଛି ତାହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି । ରାଜନାଥ ଅତ୍ୟନ୍ତ କଠୋର ଶବ୍ଦରେ କହିଛନ୍ତି ଯେ ଦିଲ୍ଲୀରେ ନିକଟରେ ଘଟିଯାଇଥିବା ଘଟଣାକ୍ରମ ଅନେକ ମନରେ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି । ପ୍ରଦର୍ଶନର ପ୍ରକ୍ରିୟାକୁ ଦେଖିଲେ ଏଭଳି ଲାଗୁଛି ଯେମିତି କି କଂଗ୍ରେସ ଏବଂ ଏହାର ରାଜନୈତିକ ସହଯୋଗୀମାନେ, ଉଭୟ ପ୍ରତ୍ୟକ୍ଷ ଭାବରେ ଏବଂ ନିଜ ସହ ଜଡ଼ିତ ସଂଗଠନଗୁଡ଼ିକ ମାଧ୍ୟମରେ ଯୁବକମାନଙ୍କ ଶକ୍ତିକୁ ସକାରାତ୍ମକ କାର୍ଯ୍ୟ ଓ ରାଷ୍ଟ୍ର ନିର୍ମାଣ ଦିଗରେ ଲଗାଇବା ପରିବର୍ତ୍ତେ, ରାଜନୈତିକ ସଂଘର୍ଷ ଏବଂ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି।
କଂଗ୍ରେସ ଦେଶର ଯୁବକମାନଙ୍କୁ ଏକ ଅରାଜକ ରାଜନୀତିରେ ମୋହରା ଭାବରେ ବ୍ୟବହାର କରିବାକୁ ଚାହୁଁଛନ୍ତି । ସେମାନେ ସାମ୍ବାଦିକ ସମ୍ମିଳନୀରେ ଯେଉଁ ଭଳି ଭାବେ ଖୋଲା ମନ୍ତବ୍ୟ ଦେଉଛନ୍ତି ଯେ ସେମାନେ ବାଂଲାଦେଶରେ ଘଟିଥିବା 'ସରକାର ପରିବର୍ତ୍ତନ' ରୁ ପ୍ରେରଣା ପାଉଛନ୍ତି । ଅନ୍ୟପକ୍ଷରେ କିଛି ଲୋକ ନିର୍ଲଜ ଭାବେ ସରକାରଙ୍କୁ ପଦଚ୍ୟୁତ କରିବା ପାଇଁ ଆହ୍ୱାନ ଦେଉଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ, ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଭାଙ୍ଗିଦେବା ଏବଂ ଦେଶରେ ଅଗ୍ନିକାଣ୍ଡ ବା ଅରାଜକତାର ବାତାବରଣ ସୃଷ୍ଟି କରିବା ବୋଲି କହିଛନ୍ତି ରାଜନାଥ ।
ପ୍ରତିରକ୍ଷା କହିଛନ୍ତି ଯେ 'ସରକାର ପରିବର୍ତ୍ତନ' ଭଳି ଶବ୍ଦର ବ୍ୟବହାରରୁ ଜଣାପଡ଼େ ଯେ, ସେମାନଙ୍କର ଏହି ଲଢ଼େଇ ନିର୍ବାଚନ ସଂସ୍କାର, ନିର୍ବାଚନ ଆୟୋଗ କିମ୍ବା ଦେଶର ଯୁବକମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୁହେଁ ବରଂ ଏହା ସମଗ୍ର ଦେଶରେ ଅରାଜକତା ସୃଷ୍ଟି କରି କ୍ଷମତା ହାସଲ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଅଟେ ।