ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ୨୦୨୬ ଆଇଚି-ନାଗୋୟା ଏସିଆନ୍ ଗେମ୍ସରେ ଦେଶ ପାଇଁ ପଦକ ଜିତିଥିବା ଭାରତୀୟ ଖେଳାଳିମାନଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏତେ ସଂଖ୍ୟାରେ ପଦକ ବିଜେତା ଖେଳାଳିମାନଙ୍କୁ ଏକାଠି ଭେଟିବା କୌଣସି ସାଧାରଣ କଥା ନୁହେଁ।
ଖେଳାଳିମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏଥର ମୋଟ ୮୫ଟି ପଦକ ଜିତିଛି, ଯେଉଁଥିରୁ କେବଳ ମହିଳା ଆଥଲେଟ୍ମାନେ ୩୮ଟି ପଦକ ହାସଲ କରିଛନ୍ତି। ଏହି ୩୮ଟି ପଦକ ମଧ୍ୟରୁ ୧୧ଟି ସ୍ୱର୍ଣ୍ଣ ପଦକ ରହିଛି। ଏହାକୁ 'ନୂତନ ଭାରତର ଚିତ୍ର' ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ସେଭଳି ଖେଳରେ ମଧ୍ୟ ପଦକ ଜିତୁଛି, ଯେଉଁଠି ଇତିହାସରେ କେବେ ମଧ୍ୟ ପଦକ ମିଳି ନଥିଲା।
ଜର୍ସି ପ୍ରଦାନ ଏବଂ ହକି ଦଳର ସଫଳତା
ରାଜଧାନୀର ମେଜର ଧ୍ୟାନଚନ୍ଦ ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ଓ ମହିଳା ହକି ତଥା କ୍ରିକେଟ୍ ଦଳର ଖେଳାଳିମାନେ ସେମାନଙ୍କର ସ୍ୱାକ୍ଷର ଥିବା ଜର୍ସି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେଇଥିଲେ। ବିଶେଷ କରି ମହିଳା ହକି ଟିମ୍କୁ ପ୍ରଶଂସା କରି ପିଏମ୍ ମୋଦି କହିଛନ୍ତି ଯେ ଦଳ ୪୪ ବର୍ଷର ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇ ସ୍ୱର୍ଣ୍ଣ ପଦକ ଜିତିଛି।
ଖେଳାଳିଙ୍କ ସହ ସବୁବେଳେ ରହିଛି ଦେଶ
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୧୦-୧୨ ବର୍ଷ ଭିତରେ ଦେଶ କ୍ରୀଡ଼ା କ୍ଷେତ୍ରରେ ନିଷ୍ଠାରପର ଭାବେ କାର୍ଯ୍ୟ କରିଛି। ଆଜି ଦେଶର ପ୍ରତ୍ୟେକ ଖେଳାଳିଙ୍କୁ ଏହି ଭରସା ରହିଛି ଯେ ସେମାନଙ୍କର ଏହି ସଫଳତା ଯାତ୍ରାରେ ସମଗ୍ର ଦେଶ ସେମାନଙ୍କ ସହିତ ଅଛି।