କଟକ : ଚଳିତବର୍ଷ କଟକ ସହରରେ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମାପନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ଭିଡ଼ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସହରରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଏହା ସହିତ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ (CRPF) ମଧ୍ୟ ନିୟୋଜିତ ହେବେ। ଏନେଇ ସୂଚନା ଦେଲେ କଟକ ଡିସିପି ରିଷିକେଶ ଖିଲାରୀ।
କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ପୋଲିସ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ ସହରର ସୁରକ୍ଷା ଦାୟିତ୍ୱରେ ପ୍ରାୟ ୫୦୦ ପୋଲିସ ଅଫିସର ଏବଂ ୨୧ ଶହରୁ ଅଧିକ ଓଆର (OR) ଓ ଏପିଆର (APR) କନଷ୍ଟେବଳ ରହିବେ। ଏହା ସହିତ ୨ କମ୍ପାନୀ ସିଆରପିଏଫ (CRPF) ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବେ। ସାରା ସହର ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ୧,୩୦୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି। ଲୋକଙ୍କ ସୁବିଧା ଓ ସହାୟତା ପାଇଁ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୫୭ଟି ପୋଲିସ ଏଡ଼ ପୋଷ୍ଟ ପ୍ରତିଷ୍ଠା କରାଯାଇଛି।
ପୂଜା ସମୟରେ ଟ୍ରାଫିକ ସମସ୍ୟାର ଠିକ୍ ଭାବେ ପରିଚାଳନା ପାଇଁ ସ୍ୱେଚ୍ଛାସେବୀ ଓ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି। ସହରବାସୀ ଏବଂ ଶ୍ରଦ୍ଧାଳୁମାନେ ଯେପରି ସୁରକ୍ଷିତ ଭାବେ ମା'ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।