ମୟୂରଭଞ୍ଜ : ଚଳିତ ବର୍ଷ ନଭେମ୍ବର ୧ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ନଭେମ୍ବର ୧ ତାରିଖରୁ ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପର୍ଯ୍ୟଟକଙ୍କ ଭ୍ରମଣ ଉଦ୍ଦେଶ୍ୟରେ ଖୋଲିବ । ଏନେଇ ବନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ଗାଇଡଲାଇନ ଜାରି ହୋଇଛି। ପର୍ଯ୍ୟଟନ ପରିଚାଳନା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ଶିମିଳିପାଳ ଭିତରକୁ ପ୍ରବେଶ ଅନୁମତି ମିଳିବ। ଏଥିମଧ୍ୟରୁ ଯଶିପୁର ଫାଟକ ଦେଇ ୩୫ଟି ଏବଂ ପିଠାବଟା ଫାଟକ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ। ଗାଡ଼ିର ବୈଧ କାଗଜପତ୍ର ସହ ସର୍ବନିମ୍ନ ୧୮୦ ମିଲିମିଟର ଗ୍ରାଉଣ୍ଡ କ୍ଲିୟରାନ୍ସ ରହିବା ବାଧ୍ୟତାମୂଳକ ଅଟେ । ଭାରୀଯାନ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ।
ଏଥିପାଇଁ ଶିମିଳିପାଳର ନିଜସ୍ୱ ୱେବସାଇଟ୍ ଜରିଆରେ ଅନୁମତି ପତ୍ର ବୁକିଂ କରିବାକୁ ପଡ଼ିବ। ପ୍ରବେଶ ସମୟରେ ସରକାରୀ ପରିଚୟପତ୍ର ଯାଞ୍ଚ ସହିତ ପ୍ରତ୍ୟେକ ଗାଡ଼ିରେ ଜଣେ ଲେଖାଏଁ ଗାଇଡ୍ ନେବା ବାଧ୍ୟତାମୂଳକ ରହିଛି ।
ଶିମିଳିପାଳ ଉଦ୍ୟାନକୁ ଯିବାକୁ ହେଲେ ପିଠାବଟା ଫାଟକରେ ସକାଳ ୮ଟାରୁ ୯ଟା ଏବଂ ଯଶିପୁର ଫାଟକରେ ସକାଳ ୫ଟାରୁ ୯ଟା ମଧ୍ୟରେ ପ୍ରବେଶ ସୁଯୋଗ ମିଳିବ। ସେହିପରି ଅପରାହ୍ନ ୪ଟା ସୁଦ୍ଧା ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଅଞ୍ଚଳ ଛାଡ଼ିବାକୁ ପଡ଼ିବ ଏବଂ ସନ୍ଧ୍ୟା ୬ଟା ପୂର୍ବରୁ କାଳିକାପ୍ରସାଦ କିମ୍ବା ପିଠାବଟା ଫାଟକ ଦେଇ ପ୍ରସ୍ଥାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କୁମାରୀ, ଗୁଡୁଗୁଡ଼ିଆ, ତାଳବନ୍ଧ, ବରେହିପାଣି ଏବଂ ଜାମୁଆଣି ସ୍ଥିତ ପ୍ରକୃତି ନିବାସ ଗୁଡ଼ିକରେ ରାତ୍ରିଯାପନ ପାଇଁ ପୋର୍ଟାଲ ମାଧ୍ୟମରେ ଅଗ୍ରୀମ ଆରକ୍ଷଣ କରିବାକୁ ପଡ଼ିବ। ଅଭୟାରଣ୍ୟ ମଧ୍ୟରେ ରାତ୍ରିକାଳୀନ ଯାତାୟତ ସମ୍ପୂର୍ଣ୍ଣ ନିଷିଦ୍ଧ ରହିଛି । ବନ୍ୟଜନ୍ତୁ ସୁରକ୍ଷା ନିୟମ ଉଲ୍ଲଂଘନ କିମ୍ବା ଅଳିଆ ଆବର୍ଜନା ପକାଇଲେ କଠୋର ଆଇନଗତ କାର୍ଯ୍ୟାନୁାଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସୁରୁଖୁରୁରେ ପର୍ଯ୍ୟଟନ ପରିଚାଳ୦ନା ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ପର୍ଯ୍ୟଟନ ବିଭାଗ, ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି) ସମେତ ସମସ୍ତ ବନ୍ୟପ୍ରାଣୀ ବନଖଣ୍ଡ ଏବଂ ରେଞ୍ଜ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଶିମିଳିପାଳ ଖୋଲିବା ନେଇ ସୂଚନା ମିଳିବା ପରେ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।