ଭୁବନେଶ୍ୱର : ଆଜି ପୂର୍ବତନ ମୁଖ୍ଯମନ୍ତ୍ରୀ, ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ଜନ୍ମଦିନ। ୮୦ ବର୍ଷରେ ପାଦ ଥାପିଛନ୍ତି ଓଡିଶାବାସୀଙ୍କ ପ୍ରିୟ ନବୀନ ବାବୁ। ଏହି ଅବସରରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି, ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ସୁଖମୟ ଜୀବନ କାମନା କରୁଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ଯ ଶୁଭେଚ୍ଛା ଜଣାଇ ‘ଏକ୍ସ’ରେ ଲେଖିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମାନ୍ୟବର ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭ ଅବସରରେ ହାର୍ଦ୍ଦିକ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସୁସ୍ଥ ଓ ନିରାମୟ ଜୀବନ ପ୍ରଦାନ କରନ୍ତୁ ।
ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରିଛନ୍ତି । ଓଡିଶାର ପୂର୍ବତନ ରାଜ୍ଯପାଳ ଡଃ ହରିବାବୁ କମ୍ଭମପତି ମଧ୍ଯ ନବୀନଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।
ସେହିପରି ମଧ୍ଯପ୍ରଦେଶର ପୂର୍ବତନ ମୁଖ୍ଯମନ୍ତ୍ରୀ ଶିବରାଜ ସିଂ ଚୌହାନ ନବୀନଙ୍କୁ ଏକ୍ସ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
ନବୀନ ପଟ୍ଟନାୟକ ୧୬ ଅକ୍ଟୋବର ୧୯୪୬ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୭ ମସିହାରେ ଜଣେ ରାଜନୈତିକ ନବାଗତରୁ ଓଡ଼ିଶାର ସବୁଠାରୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ, ତାଙ୍କ ଯାତ୍ରା ରାଜ୍ୟର ରାଜନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିଥିଲା । ଲଗାତାର ଭାବରେ ଦୀର୍ଘ ୨୪ ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳି ଥିଲେ । ବର୍ତ୍ତମାନ ସେ ବିରୋଧୀ ଦଳ ନେତା ରହିଛନ୍ତି ।
ନବୀନଙ୍କ ଜନ୍ମଦିନରେ ରାଜ୍ୟ ଓ ଦେଶର ବହୁ ପ୍ରମୁଖ ନେତା, ମନ୍ତ୍ରୀ, ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି।