ରାଜସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା। ଖାଟୁ ଶ୍ୟାମ ମନ୍ଦିର ଦର୍ଶନ ପାଇଁ ଯାଉଥିବା ଯାତ୍ରୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଥିବା ଅନ୍ୟ ଯାତ୍ରୀମାନେ ଆହତ ହୋଇଛନ୍ତି। ଶନିବାର ସକାଳ ପ୍ରାୟ ୬ଟାରେ ରାଜସ୍ଥାନର କୋଟା ଜିଲ୍ଲା ଅନ୍ତର୍ଗତ ସିମଲିୟା ଥାନା ଅଞ୍ଚଳର କରାଡ଼ିୟା ଗାଁ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, ମିନି ବସ୍ଟି ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଉଥିଲା। ତେବେ ବସ୍ ଚଳାଉଥିବା ସମୟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ପାଣି ଓ କାଦୁଅ ଭର୍ତ୍ତି ନାଳରେ ଖସିପଡ଼ିଥିବା କୁହାଯାଉଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା। ନାଳରେ ପାଣି ଓ କାଦୁଅ ଥିବାରୁ ବସ୍ ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସମସ୍ୟା ହୋଇଥିଲା। ବସ୍କୁ ବାହାର କରିବା ପାଇଁ କ୍ରେନ୍ର ସହାୟତା ନିଆଯାଇଥିଲା।
କୋଟା ଜିଲ୍ଲାପାଳ ପୀୟୂଷ ସାମାରିଆଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ୮ ଜଣଙ୍କୁ ମୃତ ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିଲା। ଗୁରୁତର ଆହତଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ଏଏସ୍ପି ରାମ କଲ୍ୟାଣ ମୀଣାଙ୍କ କହିବା ଅନୁଯାୟୀ, ବସ୍ରେ ଥିବା ଯାତ୍ରୀମାନେ ଭୋପାଳରୁ ଖାଟୁ ଶ୍ୟାମଜୀଙ୍କ ଦର୍ଶନ ପାଇଁ ଯାଉଥିଲେ।
ଦୁର୍ଘଟଣାରେ ଆହତଙ୍କୁ ମେଡିକାଲ କଲେଜ ଓ ଏମ୍ବିଏସ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି।